Site icon Odisha.com

ଧାନର ସହାୟକ ମୂଲ୍ୟ ଉପରେ ବୋନସ ଦିଅ :କଂଗ୍ରେସ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୧ (ଓଡିଶା ଡଟ୍ କମ୍)-ରାଜ୍ୟରେ ମରୁଡ଼ିଜନିତ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଧାନର ସହାୟକ ମୂଲ୍ୟ ଉପରେ କ୍ଵିଣ୍ଟାଲ ପିଛା ୩୦୦ ଟଙ୍କା ବୋନସ ଦେବା ପାଇଁ କଂଗ୍ରେସ ଗୁରୁବାର ଦାବି କରିଛି ।

ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ଚଳିତବର୍ଷ ଅଦିନିଆ ବର୍ଷା ଏବଂ ସାରର ଅଭାବ ଯୋଗୁଁ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ।

ଚାଷୀ ଗତବର୍ଷ ଚାଷରେ ଯେତିକି ଅର୍ଥ ବିନିଯୋଗ କରିଥିଲା ଏଥର ଚଢାଦରରେ ସାର କିଣି ଦୁଇଗୁଣା ଅର୍ଥ ବିନିଯୋଗ କରିଛି । ଚାଷୀର ଅଧିକ ବିନିଯୋଗ ଦୃଷ୍ଟିରୁ ଧାନର ସହାୟକ ମୂଲ୍ୟ ଉପରେ ଅଧିକ ବୋନସ ଦିଆଯିବା ଆବଶ୍ୟକ ।

ପଡୋଶୀ ଆନ୍ଦ୍ରପ୍ରଦେଶ, ଛତିଶଗଡ ଏବଂ ଅନ୍ୟ ରାଜ୍ୟ ସରକାରୀମାନେ ଧାନର ସହାୟକ ମୂଲ୍ୟ ଉପରେ ବୋନସ ଘୋଷଣା କରିଛନ୍ତି ।

ଓଡିଶାର ଚାଷୀଙ୍କୁ ସହାୟତା ସ୍ୱରୂପ ରାଜ୍ୟ ସରକାର ସର୍ବାଧିକ ୫୦୦ଟଙ୍କା ନଚେତ ସର୍ବନିମ୍ନ ୩୦୦ଟଙ୍କା ବୋନସ ଘୋଷଣା କରିବା ଦରକାର ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର ଏହା ନକଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି କିଶୋର ପଟେଲ,ଶିବାନନ୍ଦ ରାୟ,ଗୁରୁପଦ ନନ୍ଦ,ସାଧାରଣ ସମ୍ପାଦକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଗଣେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

Exit mobile version