ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବାରିପଦା,ଅକ୍ଟୋବର ୧୬(ଓଡ଼ିଶା ଡ଼ଟ୍ କମ୍) –ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କର ସଭାପତି ଥିବା ବେଳେ ବେଆଇନ ଋଣ ପ୍ରଦାନ ସଂପର୍କିତ ଏକ ମାମଲାର ବିଚାର କରି ବାରିପଦାର ପୂର୍ବତନ ବିଧାୟକ ବିମଳ ଲୋଚନ ଦାସଙ୍କୁ ଏକ ସ୍ଥାନୀୟ ଅଦାଲତ ମଙ୍ଗଳବାର ଦୁଇବର୍ଷ କାରାଦଣ୍ଡ ସହିତ ୨୫ ହଜାର ଟଙ୍କା ଜୋରିମାନା କରିଛନ୍ତି ।
ଦାସ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବାରିପଦାର ଝାଡ଼ଖଣ୍ଡ ମୁକ୍ତି ମୋର୍ଚାର ବିଧାୟକ ଥିଲେ । ଏହା ପୂର୍ବରୁ ବାରିପଦା ଅର୍ବାନ୍ କୋଅପରେଟଭି ବ୍ୟାଙ୍କର ସଭାପତି ଥିଲେ ।
ସେହି ସମୟରେ ସେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଂକୁ ପ୍ରାୟ ସାତକୋଟି ଟଙ୍କାର ବେଆଇନ ଋଣ ମଞ୍ଜୁର କରିଥିବା ଅଭିଯୋଗ ହୋଇଥିଲା । ଅଡିଟ୍ ବେଳେ ଏହି ଘଟଣା ଲୋକଲୋଚନକୁ ଆସିଥିଲା ।
ସେତେବେଳର ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କର ସଭାପତି ତାଙ୍କ ନାମରେ ୨୦୦୫ରେ ମାମଲା ଦାୟର କରିଥିଲେ । ଆଜି ତାର ଶୁଣାଣୀକରି ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଦାସଙ୍କୁ ଏହି ଦଣ୍ଡାଦେଶ ଶୁଣାଇଥିଲେ ।
ଓଡ଼ିଶା ଡ଼ଟ୍ କମ୍
Leave a Reply