Site icon Odisha.com

କୋଇଲା ବ୍ଲକ ଆବଣ୍ଟନ ଅନିୟମିତତା: ଭୁବନେଶ୍ୱରରେ ପିଏସି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨ (ଓଡ଼ିଶା ଡ଼ଟ୍ କମ୍)–କୋଇଲା ବ୍ଲକ ଆବଣ୍ଟନର ସିଏଜି ରିପୋର୍ଟ ଉପରେ ଅନୁଧ୍ୟାନ କରିବାକୁ ସଂସଦର ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ଶୁକ୍ରବାର ଓଡ଼ିଶା ପହଞ୍ଚିଛନ୍ତି ।

ଏଥିରେ ବିଜେଡିର ସାଂସଦ ଭତୃହରି ମହତାବଙ୍କ ସମେତ ୭ ଜଣ ସଦସ୍ୟ ଅଛନ୍ତି ।

କୋଇଲା ବ୍ଲକ ଆବଣ୍ଟନ କ୍ଷେତ୍ରରେ ହୋଇଥିବା ଅନିୟମିତତା ଉପରେ କାଗ ଦେଇଥିବା ରିପୋର୍ଟ ଉପରେ ପିଏସି ଅନୁଧ୍ୟାନ କରୁଛି । ଏଥିପାଇଁ କୋଇଲା ବ୍ଲକ ଆବଣ୍ଟନ ପାଇଁ ଓଡ଼ିଶା ସରକାରଙ୍କ ସୁପାରିଶର ସ୍ୱଚ୍ଛତା ଯାଞ୍ଚ କରିବ ପିଏସି ।

୨୦୦୪ରୁ ୨୦୦୯ ମଧ୍ୟରେ କୋଇଲା ବ୍ଲକ ଆବଣ୍ଟନର ନିରପେକ୍ଷତା ଉପରେ କାଗ ପୂର୍ବରୁ ପ୍ରଶ୍ନ ଉଠାଇଛି । ରାଜ୍ୟରେ ୧୦୮ଟି କମ୍ପାନୀ କୋଇଲା ଖଣି ପାଇଁ ଆବେଦନ କରିଥିବାବେଳେ ୨୫ଟି କମ୍ପାନୀକୁ କେଉଁ ଆଧାରରେ ଖଣି ଦିଆଗଲା ସେସମ୍ପର୍କରେ ମଧ୍ୟ କାଗ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ସେଥିମଧ୍ୟରୁ ଓଡ଼ିଶାର ୬ଟି କମ୍ପାନୀ ଅନ୍ତର୍ଭୁକ୍ତ । କେଉଁ ଆଧାରରେ ରାଜ୍ୟ ସରକାର ନିର୍ଦ୍ଧିଷ୍ଟ କମ୍ପାନୀ ପାଇଁ କୋଇଲା ବ୍ଲକ ସୁପାରିଶ କରିଛନ୍ତି ତାହାର ଯାଞ୍ଚ କରାଯିବ ।

ସୈନିକ ମାଇନିଂ ସହ ହୋଇଥିବା ଚୁକ୍ତି, ନବ ଭାରତ ପାଇଥିବା କୋଇଲା ବ୍ଲକ ଏସାର କଂପାନୀକୁ ହସ୍ତାନ୍ତର କରିବା ଏବଂ ଅନ୍ୟନ୍ୟ କୋଇଲା ଦୁର୍ନୀତି ନେଇ ରାଜ୍ୟ ସରକାର ଅଡୁଆରେ ଅଛନ୍ତି ।

ଏଣୁ ଏ ସବୁ ଯାଞ୍ଚ ଘଟଣାକୁ ନେଇ କିପରି କମିଶନମାନଙ୍କୁ ସମ୍ମୁଖୀନ କରାଯିବ ସେ ଚିନ୍ତା ଏବେ ସରକାରଙ୍କୁ ଘାରିଛି । ଏହି ପ୍ରତିନିଧି ଦଳ କୋଇଲା ଦୁର୍ନୀତି ଯାଞ୍ଚ ସହ ପରିବେଶ ସମସ୍ୟାର ଅନୁଧ୍ୟାନ କରିବେ ।

ଅସୁସ୍ଥତା କାରଣରୁ ପିଏସି ଅଧ୍ୟକ୍ଷ ମୁରଲୀ ମନୋହର ଯୋଶୀ ଆସିନାହାଁନ୍ତି । ଏହି ପ୍ରତିନିଧି ଦଳ ଶନିବାର ଦିନ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version