Site icon Odisha.com

ଦ୍ୱିତୀୟ ଦିନରେ ଓକିଲ ଧର୍ମଘଟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍)- ଓଡ଼ିଶା ଆଇନଜୀବୀ କଲ୍ୟାଣପାଣ୍ଠିକୁ ମ୍ୟାଚିଙ୍ଗ ଗ୍ରାଣ୍ଟଦେବା ଲାଗି ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ନିଖିଳ ଓଡ଼ିଶା ଓକିଲ ସଂଘ ପକ୍ଷରୁ ରାଜ୍ୟବ୍ୟାପି ଚାଲିଥିବା ଧର୍ମଘଟର ଆଜି ହେଉଛି ଦ୍ୱିତୀୟ ଦିନ ।

ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଏବଂ ନିଖିଳ ଓଡ଼ିଶା ଓକିଲ ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଦୁଇ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ କୋର୍ଟରେ ବାଧାପ୍ରାପ୍ତ ହୋଇଛି ।

ଧର୍ମଘଟ ଯୋଗୁଁ ଉଭୟ ବିଚାରବିଭାଗୀୟ ଓ ତତସମ୍ବନ୍ଧୀୟ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।ଏହି ଆନ୍ଦୋଳନରେ ରାଜ୍ୟର ସମସ୍ତ କୋର୍ଟର ଓକିଲ ସଂଘ ସାମିଲ ହୋଇଛନ୍ତି । ସ୍ଥାନୀୟ ଭୁବନେଶ୍ୱର ଜିଲ୍ଲା ଜଜଙ୍କ କୋର୍ଟ ସାମନାରେ ଆଇନଜୀବୀମାନେ ଶାନ୍ତି ଶୃଙ୍ଖଳାରେ ଧାରଣା ଦେଇଥିଲେ ।

ଗୁରୁବାର ଦିନ ମଧ୍ୟାହ୍ନରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ, ଓଡ଼ିଶା ରାଜ୍ୟ ଓକିଲ ପରିଷଦ, ହାଇକୋର୍ଟ ଓକିଲ ସଂଘ, ଭୁବନେଶ୍ୱର ଓକିଲ ସଂଘର ସଦସ୍ୟମାନଙ୍କୁ ନେଇ ଏକ ପ୍ରତିନିଧି ଦଳ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରଙ୍କୁ ସାକ୍ଷାତ କରି ୫ ପୃଷ୍ଠା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି, ଆଇନଜୀବୀମାନଙ୍କର କୌଣସି ସାମାଜିକ ନିରାପତା ନାହିଁ । ବୃଦ୍ଧା ଅବସ୍ଥା, ରୋଗାଗ୍ରସ୍ତ ଓ ଅକାଳ ବିୟୋଗ ସମୟରେ ସେମାନଙ୍କ ପରିବାର ବେସାହାରା ହୋଇପଡୁଛି ।

ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୦୧ ଆଇନଜୀବୀ କଲ୍ୟାଣ ପାଣ୍ଠି,୨୦୦୧କୁ କାର୍ଯ୍ୟକାରୀ କରିବା ଲାଗି ଏହାକୁ ଆଇନରେ ପରିଣତ କରିଥିଲେ ମଧ୍ୟ ଏହି କେନ୍ଦ୍ରୀୟ ଆଇନକୁ ଓଡ଼ିଶା ସରକାର କାର୍ଯ୍ୟକାରୀ କରୁ ନାହାନ୍ତି ।

ଏଥିରୁ ରାଜ୍ୟ ସରକାରଙ୍କର ଓକିଲମାନଙ୍କ ପ୍ରତି ରହିଖିବା ବୈମାତୃକ ମନୋଭାବ ସ୍ପଷ୍ଟ ହୋଇଛି । ଅନ୍ୟ ୧୬ଟି ରାଜ୍ୟରେ ଏହି କଲ୍ୟାଣ ପାଣ୍ଠି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ସାରିଲାଣି । ବିଗତ ୩୦ ବର୍ଷ ଧିର ରାଜ୍ୟ ସରକାର ଏହାକୁ ଟାଳି ଆସୁଛନ୍ତି । ଏନେଇ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version