Site icon Odisha.com

ଆନ୍ଦୋଳନକୁ ଓହ୍ଲାଇଲେ ବ୍ଲକଗ୍ରାଣ୍ଡ ହାଇସ୍କୁଲ ଶିକ୍ଷକ, କର୍ମଚାରୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍)-ବ୍ଲକଗ୍ରାଣ୍ଡ ଉଚ୍ଛେଦକରି ଶତପ୍ରତିଶତ ଅନୁଦାନ ଦାବିରେ ଆଜି ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ରାଜ୍ୟର ବ୍ଲକଗ୍ରାଣ୍ଡ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀ । ୧୯୮୩ଟି ବ୍ଲକ ଗ୍ରାଣ୍ଡ ହାଇସ୍କୁଲର ୨୬ ହଜାରରୁ ଉର୍ଦ୍ଧ ଶିକ୍ଷକ ଓ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନକାରୀ ଶିକ୍ଷକ ଓ କର୍ମଚାରୀ ସବୁ ବିଦ୍ୟାଳୟରେ ତାଲା ପକାଇ ଶିକ୍ଷାଜିଲ୍ଲା ନିରୀକ୍ଷକ,ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯାଳୟ ଆଗରେ ଧାରଣା ଦେଇଛନ୍ତି ।

ଆନ୍ଦୋଳନକାରୀ ଆସନ୍ତା କାଲି ପ୍ରତି ପଞ୍ଚାୟତରେ ଏକଜୁଟ ହୋଇ ସଚେତନତା ରାଲି କରିବେ । ସରକାରଙ୍କ ଉଦାସୀନତା ଓ ଅଗଣତାନ୍ତ୍ରୀକ କାମନେଇ ଲୋକଙ୍କୁ ସଚେତନ କରିବେ ବୋଲି ବ୍ଲକଗ୍ରାଣ୍ଡ ହାଇସ୍କୁଲ ଶିକ୍ଷକ ସଂଘ କହିଛି ।

ଆସନ୍ତା ୨୯ ତାରିଖଯାଏ ଏଭଳି କାମ ଚାଲୁରହିବ ଏବଂ ଡିସେମ୍ବର ୧୦ରେ ରାଜଧାନୀରେ ବିଶାଳ ସମାବେଶ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ବଲାଙ୍ଗୀରରେ ଆଜି ଶତାଧିକ ଶିକ୍ଷକ କୋଶଳ କଳାମଣ୍ଡପ ପଡିଆରୁ ବାହାରି ସହର ପରିକ୍ରମା କରିଛନ୍ତି ।

ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଥିଲେ । ସେମାନେ ସରକାରଙ୍କ ଶିକ୍ଷକ ମାରଣନୀତି ବିରୋଧରେ ସ୍ଲୋଗାନ ଦେଇଛନ୍ତି । ତାଙ୍କର ସ୍ଲୋଗାନରେ ରହିଛି -ମନ୍ତ୍ରୀ ତୁମର ଚାକର ଏମ୍.ଏଲ୍.ଏ ଝାଡୁଦାର
ରାଜା ଆଇଏସ୍ଏ ଅଫିସର ଭକୁଆ ଭୋଟର ।

ସୁନ୍ଦରଗଡରେ ବ୍ଲକଗ୍ରାଣ୍ଡ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ବାଲଶ୍ୱର,ବ୍ରହ୍ମପରୁରେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଆନ୍ଦୋଳନକାରୀମାନେ ।

ବ୍ଲକଗ୍ରାଣ୍ଡ ଶିକ୍ଷକ ନେତା ପଞ୍ଚାନନ ସାହୁ କହିଛନ୍ତି ଯଦି ସେମାନଙ୍କ କଥା ସରକାର ନଶୁଣନ୍ତି ତେବେ ଅନିର୍ଦ୍ଧିଷ୍ଟକାଳ ପାଇଁ ସେମାନଙ୍କ ଆନ୍ଦୋଳନ ଚାଲୁରହିବ । ଏକଥା ମଧ୍ୟ ଆମେ ପ୍ରଶାସନକୁ ଜଣାଇ ଦେଇଛୁ । ଏହା ପରବର୍ତି ଆମେ ଯେଉଁ ପଦକ୍ଷେପ ନେବୁ ତାହାଦ୍ୱାରା ଛାତ୍ରଛାତ୍ରୀମାନେ ହଇରାଣ ହେବେ ।

ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେବ । ସେଥିପାଇଁ ସରକାର ଦାୟୀ ରହିବେ । ୨୯ ତାରିଖ ପୂର୍ବରୁ ଯଦି ସେମାନଙ୍କର ଦାବି ପୁରଣ ନକରନ୍ତି ତାହେଲେ ସେମାନେ ବିଧାନସଭା ଆଗରେ ବିଶାଳ ସମାବେଶ କରିବେ ବୋଲି ଶ୍ରୀ ସାହୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version