Site icon Odisha.com

ବିଧାୟକଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତର ଆତ୍ମସମର୍ପଣ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଜଗତସିଂପୁର,ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍)-ଜଗତସିଂହପୁର ବିଧାୟକ ବିଷ୍ଣୁ ଦାସଙ୍କୁ ମୋବାଇଲରେ ହତ୍ୟା ଧମକ ଦେଇଥିବା ମୁଖ୍ୟ ଅଭିଯୁକ୍ତ ନାଉଗାଁ ଥାନାରେ ଆତ୍ମ ସମର୍ପଣ କରିଛି ।

ମୁଖ୍ୟ ଅଭିଯୁକ୍ତ ଜଣକ ହେଉଛି ସାରଦା ପରିଜା । ତାକୁ ଗିରଫ କରାଯାଇ କୋଟ ଚାଲାଣ କରାଯିବ ବୋଲି ନାଉଗାଁ ପୋଲିସ କହିଛି । ପୋଲିସର ଛାନଭିନ୍ ରେ ଭୟଭିତ ହୋଇ ସାରଦା ଆତ୍ମସମର୍ପଣ କରିଛି ।

ସାରଦା କହିଛି ଯେ ମଦ ପିଇ ନିଶାସକ୍ତ ଭାବେ ଏପରି କରିଛି । ଏମ୍ଏଲଏ ବିଷ୍ଣୁ ଦାସଙ୍କ ସହିତ ତାଙ୍କର କିଛି ଗଣ୍ଡଗୋଳ ନାହିଁ । ସେ ଭୁଲ ବଶତଃ ଏପରି କରିଛି । ସେଥିପାଇଁ ସେ କ୍ଷମା ଭିକ୍ଷା କରିଛି ।

ଏ ସଂପର୍କରେ ବିଧାୟକ ଲିଖିତ ଭାବେ ଅଭିଯୋଗ କରିଥିଲେ । ବିଧାୟକ ଶିଖର ପଞ୍ଚାୟତର ସାରେଇକୁଳ ମା’ଶ୍ୟାମାକାଳୀ ପୂଜାରେ ଯୋଗ ଦେବାକୁ ଆସିଥିବା ସମୟରେ ତାଙ୍କ ମୋବାଇଲକୁ ୧୦ଟା ୧୬ ମିନିଟରେ ଏକ ଅଜଣା ନମ୍ବରରୁ କଲ ଆସିଥିଲା ।

ଅପରପଟୁ ଆସିଥିବା ଫୋନ କଲକୁ ତାଙ୍କର ଅଙ୍ଗରକ୍ଷୀ ଉଠାଇବା ମାତ୍ରେ ଫୋନ କରିଥିବା ବ୍ୟକ୍ତି ଜଣକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ବିଧାୟକଙ୍କୁ ଫୋନ ଦେ ବୋଲି ତାଗିଦ କରିଥିଲେ ।

ପରେ ତାଙ୍କର ପରିଚୟ ରବି ପରିଜା ବୋଲି କହିବା ସହିତ ବିଧାୟକଙ୍କୁ ଫୋନ ଧରିବାକୁ କହ ବୋଲି ଧମକ ଦେଇଥିଲେ । ବାରମ୍ବାର ଫୋନ କରିବା ପରେ ନିଜେ ବିଧାୟକ ଫୋନ ଉଠାଇବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହିତ ସେହି ବ୍ୟକ୍ତି ହତ୍ୟା ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପାଇବା ପରେ ନାଉଗାଁ ପୁଲିସ ଏକ କେସ ରୁଜୁ କରି ତଦନ୍ତ ଜାରି ରଖିଥିଲେ । ବିଧାୟକ ବିଷ୍ଣୁ ଦାସଙ୍କୁ ହତ୍ୟା ଧମକ ଘଟଣା ଜିଲା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଯେତେଶୀଘ୍ର ସମ୍ଭବ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଠାବ କରିବା ପାଇଁ ଏସପି ସତ୍ୟବ୍ରତ ଭୋଇଙ୍କ ନିର୍ଦେଶରେ ତଦନ୍ତ ଚାଲିଥିଲା

ଧମକ ଆସିଥିବା ଫୋନ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଏହି ଫୋନ ନାଉଗାଁ ଗାଁର ଦେବପ୍ରସାଦ ପରିଜାଙ୍କ ନାଁରେ ଥିବା ତଦନ୍ତ ପରେ ଜଣାପଡିଛି । ତେବେ ଦେବପ୍ରସାଦ ଏବେ ଚେନ୍ନଇରେ ରହୁଛନ୍ତି ।

ତାଙ୍କ ପରିବାର ଲୋକେ କି ଆଉ କେହି ତାଙ୍କ ନାଁରେ ସଂଯୋଗ ନେଇ ଏପରି କରିଥିବେ ତାହାର ତଦନ୍ତ ଆରମ୍ଭ ହୋଇଥିଲା । ମୋବାଇଲ ନମ୍ବର ସଂଯୋଗ ଥିବା ବ୍ୟକ୍ତିଙ୍କୁ ଘଟଣା ସଂପର୍କରେ ଜଣାଇ ଦିଆଯାଇଥିଲା । ହତ୍ୟା ଧମକ ଦେଇଥିବା ବ୍ୟକ୍ତି କେଉଁ ମୋବାଇଲ ଟାୱାର ଅଧୀନରେ କଥା ହୋଇଥିଲେ ସେ ନେଇ ମୋବାଇଲ କଂପାନୀଠାରୁ ତଥ୍ୟ ସଂଗ୍ରହ ହୋଇଥିଲା ।

ଓଡିଶା ଡଟ୍ କମ୍

Exit mobile version