Site icon Odisha.com

ସବ୍ୟସାଚୀଙ୍କୁ ଧରିବାପାଇଁ ଅଭିଯାନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଗଜପତି,ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍)-ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଧରିବା ପାଇଁ ଚାଲିଛି ରାଜ୍ୟର ବଡ ସଂଗଠିତ ଅଭିଯାନ । ତିନୋଟି ଜିଲ୍ଲାର ସୀମା ସିଲ୍ କରି ଘେରି ରହିଛନ୍ତି ତିନିଶହରୁ ଅଧିକ ଜବାନ । ନଜର ରଖିଛି ହେଲିକ୍ୟାପ୍ଟର ।

ଗଜପତି ଜିଲ୍ଲା ମୋହନା ଏନ୍କାଉଣ୍ଟର ପରେ ମାଓ ଦମନ ପାଇଁ ସକ୍ରୀୟ ହୋଇଛି ପୋଲିସ । ପଣ୍ଡାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଛି ।

ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ପୋଲିସ ଜଙ୍ଗଲ ଭିତରେ ଚଳାଇଛନ୍ତି ସର୍ଚ୍ଚ ଅପରେସନ । ଗତକାଲି ମାଓ ସଂଗଠନ ସହ ସଂପୃକ୍ତ ଥାଇ ବିଭିନ୍ନ କାରନାମାରେ ସଂପୃକ୍ତ ଥିବା ୬ଜଣ ମାଓବାଦୀଙ୍କୁ ଧରିବା ପାଇଁ ଗଜପତି ପୁଲିସ ପକ୍ଷରୁ ଫଟୋ ସଂଯୁକ୍ତ ପ୍ରାଚୀରପତ୍ର ମୋହନାର ବିଭିନ୍ନ ସ୍ଥାନରେ ଲଗା ଯାଇଥିଲା । ଆଜି ସବ୍ୟସାଚୀଙ୍କ ଫଟୋ ସଂଯୁକ୍ତ ପ୍ରାଚୀରପତ୍ର ଗଞ୍ଜାମ ଓ ଗଜପତିର ବିଭିନ୍ନ ସ୍ଥାନରେ ଲଟକାଇଛି ।

ଗତ ୧୪ ତାରିଖ ଏନ୍କାଉଣ୍ଟରେ ସବ୍ୟସାଚୀ ଆହତ ଖବର ପାଇଛି ପୋଲିସ । ଆହତ ଅବସ୍ଥାରେ ଜଙ୍ଗଲରେ ବେଶୀ ଦୁର ଯିବା ସମ୍ଭବ ହୋଇ ନଥିବାରୁ ସେ ଆଖପାଖ ଅଞ୍ଚଳରେ ଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ସେଥିପାଇଁ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତା ନେବା ସହ ପୋଷ୍ଟର ମାରିଛି ।

ଗଜପତି ସହ ଗଞ୍ଜାମ ଅଞ୍ଚଳର ସୀମାନ୍ତରେ ବଡ ଧରଣର ସର୍ଚ୍ଚ ଅପରେସନ ଚଳାଇଛି ପୋଲିସ । ଏଥିରେ ସାମିଲ ହୋଇଛନ୍ତି ସିଆରପିଏଫ,ଏସ୍ଓଜି ଓ ଡିଭିଏଫ୍ ଜବାନ । ଏହା ସହ ସୈନିକ ହେଲିକ୍ୟାପ୍ଟରକୁ ନିୟୋଜିତ କରାଯାଇଛି ।

ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ରାଧାକୃଷ୍ଣ ଶର୍ମା, ସିଆରପିଏଫ ଡିଆଇଜି ଜେ ପି କେ ରାୟ ମୋହନାରେ ପହଞ୍ଚିଛନ୍ତି । ଦୁଇ ବରିଷ୍ଠ ଅଧିକାରୀ ସହ ଗଞ୍ଜାମ, ଗଜପତି ଏସ୍ ପିଙ୍କ ନେତୃତ୍ୱରେ ଜାରି ରହିଛି କମ୍ବିଂ ।

ଗଜପତିରେ ରହି ଅପରେସନକୁ ନିରିକ୍ଷଣ କରୁଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ଓ ସିଆରପିଏଫ୍ ଡିଆଇଜି । ମୋହନା ଥାନାରେ ପହଞ୍ଚି ଏନ୍କାଉଣ୍ଟର ସମୟର ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ରକୁ ଦେଖିଥିଲେ ।

ଜବତ ଅସ୍ତ୍ରଶସ୍ତ୍ର ଭିତରେ ରହିଛି ୪ଟି ବନ୍ଧୁକ, ଇଟାଲିୟନ ପିସ୍ତଲ,୨୯ ରାଉଣ୍ଡ ଗୁଳି , ଶହେ କିଲୋରୁ ଅଧିକ ବିସ୍ପୋରକ ସାମଗ୍ରୀ ଓ ନକସଲ ପୋଷାକ, ପୁସ୍ତକ , ଔଷଧ ଆଦି ସାମଗ୍ରୀ । ମୋହନା ଏନ୍ କାଉଣ୍ଟରରେ ପ୍ରାଣ ହରାଇଥିବା ସମସ୍ତ ନକସଲଙ୍କ ପରିଚୟ ମିଳିଛି । ସମସ୍ତ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଓଡିଶା ଡଟ୍ କମ୍

Exit mobile version