Site icon Odisha.com

ଶୋକ ପ୍ରସ୍ତାବ ପରେ ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୭(ଓଡିଶା ଡଟ୍ କମ୍)- ମଙ୍ଗଳବାର ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି । ଗୃହରେ ଦିବଙ୍ଗତ ନେତା ଓ ସୁରକ୍ଷା କର୍ମୀମାନଙ୍କୁ ଶ୍ରଦ୍ଧାଂଜଳି ଦିଆଯିବାପରେ ଗୃହକୁ ୨୯ ତାରିଖ ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି ।

ଫଟୋ : ଅରବିନ୍ଦ ମହାପାତ୍ର

ନିର୍ଦ୍ଧାରୀତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହକାର୍ଯ ଆରମ୍ଭ ହୋଇଥିଲା । ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଙ୍ଗତ ନେତା ତଥା ଓଡିଶାର ପୂର୍ବତନ ରାଜ୍ୟପାଳ ବି.ସତ୍ୟନାରାୟଣ ରେଡି, ପୂର୍ବତନ ମନ୍ତ୍ରୀ ଭାଗିରଥୀ ଗମାଙ୍ଗ, ହରିହର ସ୍ୱାଇଁ, ପୂର୍ବତନ ବିଧାୟକ ସାରଙ୍ଗଧର ପ୍ରଧାନ, ମାନସ ରଂଜନ ମଲ୍ଲିକ, ଜଗମୋହନ ନାୟକ, କୁଲିୟାନ ବାଗ୍ଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ।

ସେହିପରି ଦିବଙ୍ଗତ ୩ ସୁରକ୍ଷାକର୍ମୀ ଲାନ୍ସ ନାୟକ, ଲମ୍ବୋଦର ସାହୁ, ଗାର୍ଡ ବସନ୍ତ କୁମାର ବେହେରା, ଏଏସ୍ଆଇ ଆର୍ଏନ୍ ମହାକୁଡ ଓ ୪ ଗ୍ରାମରକ୍ଷୀ ମାଣିଖ ଖିଲ୍ଲା, ଜଗବନ୍ଧୁ ଖେମୁଡ, ଗୌରଚନ୍ଦ୍ର ଦଳାଇ ଏବଂ ଭଗବାନ ନାୟକଙ୍କ ବିୟୋଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ ।

ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ, ବିଜେପି ବିଧାୟକ କରେନ୍ଦ୍ର ମାଝି, କମ୍ୟୁନିଷ୍ଟ ବିଧାୟକ ଆଦିକନ୍ଦ ସେଠୀ ପ୍ରମୁଖ ଶୋକ ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରି ଶ୍ରଦ୍ଧାଂଜଳି ଜଣାଇଥିଲେ । ଏହାପରେ ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏହାପରେ ବିଧାନସଭାକୁ ୨୯ ତାରିଖ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ଅମାତ୍ । ଆଜିଠାରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୨୨ ତାରଖ ପର୍ଯ୍ୟନ୍ତ ଚାଲିବ ।

ଓଡିଶା ଡଟ୍ କମ୍

Exit mobile version