Site icon Odisha.com

ବିଧାନସଭା ଘେରାଉବେଳେ ପୋଲିସର ଲାଠି ଚାର୍ଜ,୪୦ ଆହତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୯(ଓଡିଶା ଡଟ୍ କମ୍)-ଗୁରୁବାର ଦିନ ବିଧାନସଭା ଘେରାଉବେଳେ ବ୍ଲକ ଗ୍ରାଣ୍ଡ ହାଇସ୍କୁଲ ଶିକ୍ଷକଙ୍କ ଉପରେ ପୋଲିସର ଲାଠି ଚାର୍ଜ ଯୋଗୁଁ ୪୦ରୁ ଅଧିକ ଶିକ୍ଷକ ଆହତ ହୋଇଛନ୍ତି ।

ଫଟୋ : ଅରବିନ୍ଦ ମହାପାତ୍ର

ବ୍ଲକ ଗ୍ରାଣ୍ଡ ଉଛେଦ ଏବଂ ପୂର୍ଣ୍ଣ ଅନୁଦାନ ଦାବୀରେ ଶିକ୍ଷକମାନେ ଏକ ବିଶାଳ ଶୋଭାଯାତ୍ରାରେ ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ବାହାରି ପିଏମ୍ଜି ଛକରେ ପହଞ୍ଚିଥିଲେ । ସରକାରୀ ବିରେଧି ସ୍ଲୋଗାନ ଦେଇ ପୋଲିସ କଡନ୍ ଭାଙ୍ଗି ବିଧାନ ସଭା ଆଡକୁ ଧାଇଁ ଯାଇଥିଲେ ।

ହଜାର ହଜାର ଶିକ୍ଷକ ଆଇନ୍ ଅମାନ୍ୟ ଆନ୍ଦୋଳନକରି ବିଧାନସଭା ଆଡେ ମୁହାଁଇଥିଲେ । ବ୍ୟାରିକେଟ୍ ଭାଙ୍ଗିବାକୁ ଉଦ୍ୟମ କଲାବେଳେ ପୋଲିସ ବାଧ୍ୟ ହୋଇ ବାଧାଦେଇଥିଲା । ପରିସ୍ଥିତି ଅଣାୟତ ହେବା ଯୋଗୁଁ ପୋଲିସ ପ୍ରଥମେ ପାଣି ମାଡ, ପରେ ଲୁହବୁହା ଗ୍ୟାସ ଏବଂ ତାହାପରେ ଲାଠି ଚାର୍ଜ କରିଥିଲା ।

ଏହି ଘଟଣାରେ ୪୦ରୁ ଅଧିକ ଶିକ୍ଷକ ଆହତ ହୋଇଛନ୍ତି । ପ୍ରାୟ ତିନି ଘଣ୍ଟାଧରି ଶିକ୍ଷକମାନେ ପିଏମ୍ଜିକୁ ନିଜ ଅକ୍ତିଆରରେ ରଖିଥିଲେ । ବ୍ଲକଗ୍ରାଣ୍ଡ ଶିକ୍ଷକ ସଂଘର ସଭାପତି ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି ଯେ, ଗତ ୨୦ ବର୍ଷହେଲା ହଜାର ହଜାର ବ୍ଲକ ଗ୍ରାଣ୍ଡ ଶିକ୍ଷକ ପ୍ରତିବର୍ଷ ନିଜର ଦାବିପାଇଁ ଆନ୍ଦୋଳନ କରି ଆସୁଛନ୍ତି ହେଲେ ସରାକର ସେମାନଙ୍କ କଥା ଶୁଣୁ ନାହାଁନ୍ତି ।

ଆଜି ହଜାର ହଜାର ଶିକ୍ଷକ ଯେଉଁ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି ସରକାର ପୋଲିସ ଲଗାଇ ଏହି ଆନ୍ଦୋଳନକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ଏହା ଜାରି ରହିବ । ଆସନ୍ତାକାଲି ଠାରୁ ବିଧାୟକମାନଙ୍କ ଘର ଘେରାଉ କରାଯିବ ବୋଲି ସେ ଚେତାବନି ଦେଇଛନ୍ତି ।

ଶିକ୍ଷକମାନଙ୍କ ଉପରେ ହୋଇଥିବା ଲାଠି ଚାର୍ଜ ଉପରେ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ରବି ନାରାୟଣ ନନ୍ଦ ଦୁଃଖପ୍ରକାଶ କରିଛନ୍ତି । ସେ କହିଛନ୍ତି ଶିକ୍ଷକମାନେ ସଦାବେଳେ ନମସ୍ୟ । ଯାହାକଛି ହୋଇଛି ସେଥିପାଇଁ ମୋତେ ଦୁଃଖଦେଇଛି । ଶିକ୍ଷକମାନଙ୍କର ଦାବି ସରକାର ମାନିନେଇଛନ୍ତି । ଆଉ ଯଦି କିଛି ଅଛି ତାହାର ଆଲୋଚନା ପାଇଁ ମୁ ବି ପ୍ରସ୍ତୁତ ଅଛି । ଆଜିବି ମୁଁ ସେମାନଙ୍କ ନିକଟକୁ ଖବର ପଠାଇଛି ।

ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର କହିଛନ୍ତି ଟେକା ପଥର ପକାଇ ଶିକ୍ଷକମାନେ ବ୍ୟାରିକେଟ ଭାଙ୍ଗିବାରୁ ପୋଲିସମାନେ ବଳ ପ୍ରୟୋଗ କରିବାକୁ ବାଧ୍ୟହେଲେ । ସେମାନଙ୍କୁ ପଛକୁ ହଟାଯାଇଥିଲା । ଏହି ଘଟଣାରେ ପୋଲିସର ୧୦/୧୨ ଆହତ ହୋଇଛନ୍ତି ।

ପିସିସି ମୁଖପାତ୍ର ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି ବ୍ଲକ ଗ୍ରାଣ୍ଡ ଶିକ୍ଷକମାନେ ତାଙ୍କର ନ୍ୟାଯ୍ୟଦାବି ପାଇଁ ଆନ୍ଦୋଳନ ଚଲାଇ ଆସିଛନ୍ତି । ଗଣତାନ୍ତ୍ରୀକ ପଦ୍ଧତିରେ ଯେଉଁ ଆନ୍ଦୋଳନ କରୁଛନ୍ତି ତା ଉପରେ ଆଜି ପୋଲିସ ବର୍ବରଚିତ ଆକ୍ରମଣ କରିଛି । ଓଡିଶା ପ୍ରଦେଶ କଂଗ୍ରେସ କିମିଟି ତରଫରୁ ଘୋର ନିନ୍ଦା କରାଯାଇ ଏହାର ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଛି ।

ଓଡିଶା ଡଟ୍ କମ୍

Exit mobile version