Site icon Odisha.com

ଜେଲରେ ଅନଶନ କଲେ ଦଣ୍ଡପାଣିଙ୍କ ପୁଅ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପାରଳାଖେମୁଣ୍ଡି,ଡିସେମ୍ବର ୬(ଓଡିଶା ଡଟ୍ କମ୍)-ମାଓବାଦୀଙ୍କ ସହିତ ସମ୍ପର୍କ ରଖିଥିବା ତଥା ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ମୋହନା ପୁଲିସ ଗିରଫ କରିଥିବା ଦମନ ପ୍ରତିରୋଧ ମଞ୍ଚର ଆବାହକ ତଥା ମାଓବାଦୀ-ସରକାରଙ୍କ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତିଙ୍କ ପୁଅ ସଂଗ୍ରାମକେଶରୀ ମହାନ୍ତି ଓ ତାଙ୍କ ସାଥିଙ୍କୁ ଜେଏମ୍ସି କୋର୍ଟରେ ହାଜର କରିବା ପରେ ଆର ଉଦୟଗିରି ଜେଲକୁ ପଠାଇ ଦିଆଯାଇଛି ।

ସେମାନଙ୍କର ଜାମିନ ଆବେଦନ ଗୁରୁବାର ଦିନ କୋର୍ଟରେ ଖାରଜ ହୋଇ ଯାଇଛି । ତେବେ ଜେଲ୍ ଭିତରେ ସେହି ଦୁଇଜଣ ଅନଶନରେ ବସିଥିବାର ଜଣାପଡିଛି ।

ସେମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଆକ୍ରୋଶ ମୂଳକ ଭାବେ ପୋଲିସ ଗିରଫ କରିଛି । ମାଓବାଦୀଙ୍କ ସହ ସେମାନଙ୍କର କୌଣସି ସମ୍ପର୍କନାହିଁ । ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବୀ କରିଛନ୍ତି ।

କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ପର୍ଯ୍ୟନ୍ତ ସେମାନେ ଖାଦ୍ୟ ଗ୍ରହଣ କରିବେ ନାହିଁ । ସେ ନକସଲ କାର୍ଯ୍ୟରେ ବିଶ୍ୱାସ କରନ୍ତି ନାହିଁ ବୋଲି ସଂଗ୍ରାମ କହିଛନ୍ତି । ଗତକାଲି ରାତିରେ ସଂଗ୍ରାମକୁ ମୋହନାରୁ ଆର ଉଦୟଗିରିକୁ ସ୍ଥାନାନ୍ତରିତ କରାଯାଇଥିଲା ।

ବୁଧବାର ପୂର୍ବାହ୍ନରେ ମୋହନା ବ୍ଲକ ଅନ୍ତର୍ଗତ କମଳାପୁର ଗେଟ ନିକଟରେ ସଂଗ୍ରାମଙ୍କୁ ଗିରଫ କରାଯାଇଥିଲା । ସଂଗ୍ରାମ କିଛି ମାଓପୁସ୍ତିକା, ବିସ୍ଫୋରକ ଦ୍ରବ୍ୟ ଓ ବିଭିନ୍ନ ସାମଗ୍ରୀ କୈଳାସ ମଣ୍ଡଳ ନାମକ ଜଣେ ଯୁବକଙ୍କୁ ଦେବା ସମୟରେ ମୋହନା ପୁଲିସ ତାଙ୍କୁ ଗିରଫ କରିଥିବା ଦାବି କରିଥିଲା ।

ମାଓ ମଧ୍ୟସ୍ଥି ଦଣ୍ଡପାଣି ପ୍ରାୟ ଏକ ବର୍ଷ ହେଲା ଚର୍ଚ୍ଚାରେ ରହିଥିଲେ । କିଛି ମାସ ତଳେ ଦୁଇ ଇଟାଲି ପର୍ଯ୍ୟଟକଙ୍କୁ ମାଓବାଦୀ ଅପହରଣ କରି ନେବା ପରେ ଦଣ୍ଡପାଣି ମାଓବାଦୀ ଓ ସରକାରଙ୍କ ମଧ୍ୟରେ ମଧ୍ୟସ୍ଥି ଦାୟିତ୍ୱ ନିର୍ବାହ କରିଥିଲେ । ପୂର୍ବରୁ ତତ୍କାଳୀନ ମାଲକାନଗିରି ଜିଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣ ସମୟରେ ଦଣ୍ଡପାଣି ମଧ୍ୟସ୍ଥି ରୂପେ କାର୍ଯ୍ୟ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version