Site icon Odisha.com

ଜଳସେଚନ ଲାଗି ୫ ବର୍ଷରେ ୨୨ ହଜାର କୋଟି ଟଙ୍କା ଖର୍ଚ୍ଚହେବ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୦(ଓଡିଶା ଡଟ୍ କମ୍)-୫ ବର୍ଷରେ ଜଳସେଚନ ସୁବିଧାଲାଗି ୨୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଅଧିକ ୯.୩୬ ଲକ୍ଷ ହେକ୍ଟର ଚାଷଜମିକୁ ଏଥିରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନମନ୍ତ୍ରୀ ରଘୁନାଥ ମହାନ୍ତି ସୋମବାର ଦିନ ବିଧାନ ସଭାରେ ଏ ବିଷୟ ପ୍ରକାଶ କରିଛନ୍ତି ।

ଆଜି ବିଧାନସଭାରେ ବିରୋଧିଦଳ ପକ୍ଷରୁ ଆଗତ ଜଳସେଚନ ସଂପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତରରେ ମନ୍ତ୍ରୀ କହିଛନ୍ତି ଯେ,୨୦୧୨-୧୩ ଆର୍ଥିକ ବର୍ଷରୁ ଏହି କାର୍ଯକ୍ରମ ଆରମ୍ଭ କରାଯାଇ ୨୦୧୬-୧୭ ବର୍ଷରେ ଶେଷ କରାଯିବ ।

ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନାରେ ସରକାର ଅଧିକ ୧୫ ପ୍ରତିଶତ ଚାଷଜମିକୁ ଜଳସେଚିତ କରିବାର ଧାର୍ଯ୍ୟ କରିଛନ୍ତି । ସେଥିପାଇଁ ୧୫ ହଜାର ଚେକଡ୍ୟାମ ନିର୍ମାଣ କରାଯିବ । ସେହିପରି ୭୫ ହଜାର ଗଭୀର ନଳକୂପ ଜରିଆରେ ୧.୫୦ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଦିଆଯିବ । ସେହିପରି ୫ ବର୍ଷରେ ୯,୭୦୪ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରାଯିବ ।

ସେହିପରି ୧୭୪ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇ ୨,୧୪ ଲକ୍ଷ ହେକ୍ଟର ଜମିକୁ ଜଳ ଯୋଗାଇ ଦିଆଯିବ । ୩୪୨ ହଜାର ହେକ୍ଟର ଜଳସେଚିତ ଜମିରେ ଜଳସେଚନ ବ୍ୟବସ୍ଥାର ପୁରରୁଦ୍ଧାର ଓ ସୁଦୃଢୀକରଣ କରାଯିବ ।

ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା କାଳରେ ୧୫ଗୋଟି ନିର୍ମାଣାଧିନ ବୃହତ ଓ ମଧ୍ୟମ ଜଳସେଚନ ସଂପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version