Site icon Odisha.com

ଗଣଶିକ୍ଷକଙ୍କ ପାଇଁ ଶାସକ ଓ ବିରୋଧୀ ଏକ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୧(ଓଡିଶା ଡଟ୍ କମ୍)-ଗଣଶିକ୍ଷକଙ୍କ ସମସ୍ୟା ଓ ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ନେଇ ମଙ୍ଗଳବାର ଦିନ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି ।

ଗଣଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ ଉଭୟ ଶାସକ ଓ ବିରୋଧୀ ସଭ୍ୟମାନେ ଦାବି କରିଥିବା ବେଳେ ଶାସକ ବିଜେଡି ଦଳର ସଭ୍ୟମାନେ ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତି ବିରୋଧରେ ସର୍ବସମ୍ମତ ପ୍ରସ୍ତାବ ଆଣିବା ପାଇଁ ମତ ରଖିଥିଲେ ।

ମଙ୍ଗଳବାର ଦିନ ଶୂନ୍ୟକାଳରେ ବିରୋଧିଦଳ ନେତା ଭୂପିନ୍ଦର ସିଂ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ ଯେ,ସରକାର ଶିକ୍ଷକଙ୍କ ପ୍ରତି ପାତର ଅନ୍ତର କରିଛନ୍ତି । ସେମାନଙ୍କ ପେଟପାଟଣାକୁ ନେଇ ରାଜନୀତି କରୁଛନ୍ତି ।

ଆଜି ଗଣଶିକ୍ଷକମାନେ ବିଧାୟକମାନଙ୍କ ବାସଭବନକୁ ଘେରାଉ କରିଛନ୍ତି । ବିଧାୟକମାନେ ବିଧାନସଭା ଆସିବାକୁ ଅସୁବଧାର ସମ୍ମୁଖୀନ ହୋଇଛନ୍ତି । ସରକାର ସେମାନଙ୍କ ସମ୍ପର୍କରେ ତୁରନ୍ତ ନିଷ୍ପତି ନେବା ଦରକାର ବୋଲି ଶ୍ରୀ ସିଂ କହିଥିଲେ ।

ସରକାରୀ ଦଳର ଉପମୁଖ୍ୟ ସଚେତକ ସଂଜୟ ଦାସବର୍ମା କହିଲେ ଯେ,ଗଣ ଶିକ୍ଷକଙ୍କ ପ୍ରତି କେବଳ ବିରୋଧୀ ଦଳର ଦରଦ ଅଛି ବୋଲି ଦେଖାଇ ହୁଅନ୍ତୁ ନାହିଁ । ସେମାନଙ୍କ ପ୍ରତି ସରକରା ମଧ୍ୟ ସଚେତନ ଅଛନ୍ତି ।

ବିଜେଡି ସରକାର ସେମାନଙ୍କୁ ଗଣଶିକ୍ଷକ କରୁଛନ୍ତି । ଶିକ୍ଷକମାନଙ୍କ ସମସ୍ୟାର ସମାଧାନକେବଳ ନବୀନ ପଟ୍ଟନାୟକଙ୍କ ସରକାର ହିଁ କରିଛନ୍ତି ବୋଲି ସେ କହିଛନ୍ତି । ଶ୍ରୀ ଦାସବର୍ମା କହିଲେ ଯେ,ଗତ ସେପ୍ଟେମ୍ବର ୧୪ ତାରିଖରେ କେନ୍ଦ୍ର ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋରୁ ୧୨.୧୫ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତି କରିଛନ୍ତି । ଏହି ନିସ୍ପତି ରାଜ୍ୟ ସ୍ୱାର୍ଥ ପରିପନ୍ଥୀ ।

ତେଣୁ କେନ୍ଦ୍ର ସରକାର ଏହି ନିସ୍ପତି ପ୍ରତ୍ୟାହାର କରିବା ପାଇଁ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇ କେନ୍ଦ୍ରକୁ ପଠାଯାଉ ବୋଲି ସେ କହିଥିଲେ ।

ବିଜେପିର କନକବର୍ଦ୍ଧନ ସିଂଦେଓ କହିଲେ ଯେ ଗଣଶିକ୍ଷକଙ୍କ ସମସ୍ୟା ସମାଧାନ ହେବା ଉଚିତ୍ । ବିଧାନସଭା ଅଧିବେଶନ ସମୟରେ ଯେଉଁମାନେ ଆନ୍ଦୋଳନ କରିବେ ଯଦି ସେମାନଙ୍କ ସମସ୍ୟା ସମାଧାନ କରାଯିବ ତାହା ଏକ ଖରାପ ପରମ୍ପରା ସୃଷ୍ଟି କରିବ ।

ତେଣୁ ଆନ୍ଦୋଳନ ହେବାପୂର୍ବରୁ ସମସ୍ୟାର ସମାଧାନ କରାଯାଉ । ଏହାଛଡା ନାଲକୋ ପୁଞ୍ଜି ପ୍ରତ୍ୟାହାର ନିଷ୍ପତିକୁ ସେ ବିରୋଧ କରୁଛନ୍ତି । ନାଲକୋ ଏକ ଲାଭଜନକ ସଂସ୍ଥା । ଏହାର ପୁଞ୍ଜି ପ୍ରତ୍ୟାହାର ରାଜ୍ୟ ସ୍ୱାର୍ଥର ପରିପନ୍ଥୀ ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଦୀପ ମହାରଥୀ,ଅମର ପ୍ରସାଦ ଶତପଥୀ,ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ପ୍ରଫୁଲ ମାଝି,ଚକ୍ରଧର ପାଇକ,ଅନଙ୍ଗ ଉଦୟ ସିଂହଦେଓ ପ୍ରମୁଖ ଏହି ଦଦୁଇ ପ୍ରସଙ୍ଗରେ ନିଜ ନିଜର ମତ ରଖିଥିଲେ ।

ଓଡିଶା ଡଟ୍ କମ୍

Exit mobile version