Site icon Odisha.com

ଡିଏଭି ସ୍କୁଲରେ ଫି’ ବୃଦ୍ଧିର ପ୍ରତିବାଦ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୨(ଓଡିଶା ଡଟ୍ କମ୍)- ଡିଏଭି ସ୍କୁଲ କର୍ତୃପକ୍ଷ ସ୍କୁଲ ଫି’ ବୃଦ୍ଧି କରିଥିବା ବେଳେ ଏହାକୁ ବିରୋଧକରି ଅଭିଭାବକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ବୁଧବାର ଦିନକ ପାଇଁ ରାଜ୍ୟରେ ଥିବା ସମସ୍ତ ଡିଏଭି ସ୍କୁଲରେ ବନ୍ଦ ଡାକରା ଦିଆଯାଇଥିଲା । ଯାହାର ପ୍ରଭାବରେ ଆଜି ସକାଳୁ ସକାଳୁ କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ ଡିଏଭି ସ୍କୁଲ ସମ୍ମୁଖରେ ଅଭିଭାବକମାନେ ଧାରଣାରେ ବସିଥିଲେ ।

ରାଜଧାନୀର ୟୁନିଟ ୮,ପୋଖରୀପୁଟ,ଚନ୍ଦ୍ରଶେଖରପୁର,କଳିଙ୍ଗ ବିହାର ପରି ସମସ୍ତ ସ୍କୁଲରେ ଅଭିଭାବକମାନେ ଧାରଣା ଦେଇଥିଲେ । ଅଭିଭାବକ ସଂଘର ସାଧାରଣ ସଂପାଦକ ଅକ୍ଷୟ କୁମାର ମହାକୁଡ କହିଛନ୍ତି ଏ ସଂକ୍ରାନ୍ତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ସ୍କୁଲ କର୍ତୃପକ୍ଷ ବର୍ଦ୍ଧିତ ଫି’ ଦେବାକୁ ନୋଟିସ ଜାରି କରିଛିନ୍ତି ।

ବର୍ଦ୍ଧିତ ହାରରେ ମାସିକ ଟ୍ୟୁସନ ଫି’ ପୈଠ କରିବାକୁ ନୋଟିସ ଯାଇଥିଲା । ବର୍ଦ୍ଧିତ ଫି’ ପୁରୁଣା ଫି’ଠାରୁ ୨୦୦ ପ୍ରତିଶତ ଅଧିକ ଥିବାରୁ ଅଭିଭାବକମାନେ ହତଚକିତ ହୋଇ ଯାଇଛନ୍ତି ।

ସ୍କୁଲ ତରଫରୁ ଚାପ ପ୍ରୟୋଗ କରାଯାଉଛି ଫି ଦେବା ପାଇଁ । ସେମାନେ କହୁଛନ୍ତି ଯଦି ତମେ ଟଙ୍କା ଜମାକରି ରସିଦ ନଦେଖାନ୍ତି ତାହାଲେ ତମ ପିଲାଙ୍କୁ ପଢାଇବୁ ନାହିଁ । ବାହାରେ ଠିଆ କରିଦେବୁ । ସ୍କୁଲରୁ ଟିସି ଦେଇ ଦେବୁ ।

ଏହି ଘଟଣା ପିଲାଙ୍କ ମାନସିକ ଉପରେ ପ୍ରଭାବ ପ୍ରକାଉଛି । ଅଦାଲତଙ୍କ ନିର୍ଦ୍ଦେଶର ଓଲଟା ଅର୍ଥ ବାହାର କରି ସ୍କୁଲ କର୍ତୃପକ୍ଷ ଫି’ ବୃଦ୍ଧି କରିଛନ୍ତି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।

ରାଜ୍ୟର ସମସ୍ତ ୧୪ଟି ଡିଏଭି ସ୍କୁଲ ସମ୍ମୁଖରେ ଅଭିଭାବକମାନେ ଧାରଣା ଦେବା ସହ ଫାଟକରେ ତାଲା ପକାଇଛନ୍ତି ବୋଲି ଓଡିଶା ଡିଏଭି ସ୍କୁଲ ଅଭିଭାବକ ସମନ୍ୱୟ ସମିତି ତରଫରୁ ପ୍ରକାଶ । ଏ ଘଟଣା ନେଇ ସ୍କୁଲ କର୍ତୃପକ୍ଷ କିଛି କହିବାକୁ ମନା କରିଦେଇଛନ୍ତି ।

ଓଡିଶା ଡଟ୍ କମ୍

Exit mobile version