Site icon Odisha.com

ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୮(ଓଡିଶା ଡଟ୍ କମ୍)- ବିଜେଡିର ରେଳ ଅବହେଳା ଓ କଂଗ୍ରେସର ଚାଷୀଙ୍କୁ ଅବହେଳା ପ୍ରସଙ୍ଗ ନେଇ ମଙ୍ଗଳବାର ଦିନ ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ଉତେଜନା ପୂର୍ଣ୍ଣହେବାରୁ ବାଚସ୍ପତି ଦିନକ ପାଇଁ ଗୃହକୁ ମୁତତବୀ ରଖିଥିଲେ ।

ଶୂନ୍ୟକାଳରେ କେନ୍ଦ୍ର ସରକାର ଓଡିଶାର ରେଳ ବଜେଟରୁ ୬୦ କୋଟି ଟଙ୍କା କାଟି ଦେଇଥିବା ପ୍ରସଙ୍ଗ ନେଇ ବିଜେଡି ବିଧାୟକମାନେ ପ୍ରତିବାଦ ଆରମ୍ଭ କରିବାମାତ୍ରେ ଚାଷୀଙ୍କୁ ନବୀନ ନିବାସଠାରେ ପୋଲିସ ମାଡଦେବା ଘଟଣାକୁ ନେଇ ବିରୋଧୀ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ ।

ବିଜେଡି ବିଧାୟକ ପ୍ରଦୀପ ମହାରଥୀ କେନ୍ଦ୍ରୟ ଅବହେଳା ନେଇ କଂଗ୍ରେସକୁ ସମାଲୋଚନା କରିବାକ୍ଷଣି କଂଗ୍ରେସର ସମସ୍ତ ବିଧାୟକ ଗୃହର ମଧ୍ୟଭାଗକୁ ଚାଲିଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ।

ନବୀନ ପଟ୍ଟନାୟକ ହାଏ ହାଏ,ଚାଷୀ ହତ୍ୟାକାରୀ ହାଏ ହାଏ,ଚାଷୀଙ୍କୁ ମାଡ ଚଳିବ ନାହିଁ ଆଦି ସ୍ଲୋଗାନ ଦେଇଥିଲେ ଏବଂ ବାଚସ୍ପତିଙ୍କ ଟେବୁଲ ବାଡେଇବା ସହିତ ହଟଗୋଳ କରିଥିଲେ ।

ସେହିପରି ଶାସକ ବିଜେଡି ବିଧାୟକମାନେ ରେଳବାଇରେ ଓଡିଶାକୁ କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳାକୁ ନେଇ ସ୍ଲୋଗାନ ଦେଇ ଠିଆ ହୋଇ ପ୍ରତିବାଦ କରିଥିଲେ । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିରୋଧରେ ସ୍ଲୋଗାନ ସହିତ ଶାସକ ସଭ୍ୟ ହୋ-ହାଲ୍ଲା କରିବାରୁ ଗୃହରେ ଉତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା ।

ବିଜେଡି ବିଧାୟକ ପ୍ରଦୀପ ମହାରଥୀ ହାତରେ ଧରିଥିବା କାଗଜପତ୍ର ଗୃହ ମଧ୍ୟକୁ ଫୋପାଡି ଦେଇଥିଲେ । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପରବର୍ତୀ ସମୟରେ ବିଜେଡିର ଅନ୍ୟ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ । ଫଳରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ ।

ଗୃହର ପରିସ୍ଥିତି ଅଧିକ ଉତେଜନା ପୂର୍ଣ୍ଣ ହେଉଥିବାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ୧୧.୩୪ରୁ ୧୨.୩୦ ଓ ୧୨.୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶେଷରେ ପୁରା ଦିନକ ପାଇଁ ଗୃହକୁ ମଲତବୀ ଘୋଷଣା କରିଥିଲେ ।

ଗୃହମୁଲତବୀ ହେବାପରେ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ତଳକୁ ଯାଇ କେନ୍ଦ୍ରୀୟ ଅବହେଳା ବିରୋଧରେ ଧାରଣାରେ ବସିଥିଲେ ।

ଓଡିଶା ଡଟ୍ କମ୍

Exit mobile version