Site icon Odisha.com

ବରମୁଣ୍ଡା ବସଷ୍ଟାଣ୍ଡ ଜମି ଲିଜ୍ ଚୁକ୍ତି ହାଇକୋର୍ଟରେ ରଦ୍ଧ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)-ଭୁବନେଶ୍ୱର ବସଷ୍ଟାଣ୍ଡ ଘରୋଇ କରଣ ସଂପର୍କରେ ଓଏସ୍ଆରଟିସି ଓ ଏଆରଏସ୍ଏସ୍ ମଧ୍ୟରେ ହୋଇଥିବା ଚୁକ୍ତିକୁ ଓଡିଶା ହାଇକୋର୍ଟ ଗୁରୁବାର ରଦ୍ଧ କରିଦେଇଛନ୍ତି । ଫଳରେ ରାଜ୍ୟ ସରକାରଙ୍କୁ ଶକ୍ତ ଧକ୍କା ଲାଗିଛି ।

ମୁଖ୍ୟ ବିଚାରପତି ଭି.ଗୋପାଳ ଗୌଡା ଓ ବିଚାରପତି ସଂଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ ରୁଜୁ ହୋଇଥିବା ଦୁଇଟି ପୃଥକ ପୃଥକ ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି ।

ଆଜି ମାନ୍ୟବର ଖଣ୍ଡପୀଠ ତାଙ୍କ ରାୟରେ ରାଜ୍ୟ ସରକାର ସମ୍ବିଧାନର ୨୯୯ଧାରା ଉଲଙ୍ଘନକରି ଲିଜ୍ ପ୍ରଦାନ କରିଥିବାରୁ ଏହି ଦୁଇଟି ଚୁକ୍ତିକୁ ବାତିଲ କରିଦେଇଛନ୍ତି । ସେହିପରି ଜମି ହସ୍ତାନ୍ତର ଆଇନ୍ ୧୦୫ ଓ ୧୦୭କୁ ରଜ୍ୟ ସରକାର ଉଲଙ୍ଘନ କରିଛନ୍ତି ବୋଲି ଖଣ୍ଡପୀଠ ରାୟରେ ସ୍ପଷ୍ଟ କରିଦେଇଛନ୍ତି ।

ସରକାରଙ୍କର ଏହା ଅଧିକାରଭୁକ୍ତ ହୋଇନଥିବା ବେଳେ ବେଆଇନ ଭାବେ ଘରୋଇ କଂପାନୀ ସହ ଲିଜ୍ ସଂକ୍ରାନ୍ତିୟ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ମାନ୍ୟବର ଅଦାଲତ ପୂର୍ବରୁ ଚଳିତ ବର୍ଷ ଗତ ମାର୍ଚ୍ଚ ୩୦ ତାରିଖରେ ଏହି ମାମଲା ଉପରେ ସ୍ଥିତାବସ୍ଥା ଜାରି କରିଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଏଆରଏସ୍ଏସ୍ ନାମକ ଏହି ଘରୋଇ କମ୍ପାନୀକୁ ଭୁବନେଶ୍ୱର ବସଷ୍ଟାଣ୍ଡର ଜମିକୁ ୯୩ ବର୍ଷ ପାଇଁ ଲିଜ୍ ସୂତ୍ରରେ ପ୍ରଦାନ କରିଥିଲେ । ଏହାକୁ ବେଆଇନ ବୋଲି ଦର୍ଶାଇ ବିଜେପି ନେତା ସମୀର ମହାନ୍ତି ହୋଇକାର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version