Site icon Odisha.com

ବିଶିଷ୍ଟ କୃଷି ବିଜ୍ଞାନୀ ଡ.ନିରଞ୍ଜନ ପଣ୍ଡାଙ୍କ ପରଲୋକ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ସମ୍ବଲପୁର,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)-ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍ ଅଫ ରିସର୍ଚ୍ଚ ତଥା ଏ ଅଂଚଳର କୃତୀ ସନ୍ତାନ ଡ. ନିରଞ୍ଜନ ପଣ୍ଡାଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଛି ।

ବୁଧବାର ଦିନ ଅପରାହ୍ନ ୫ଟା ୪୫ ମିନିଟରେ କଲକାତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାମାତ୍ରେ ସମ୍ବଲପୁର, ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନରେ ଶୋକର ଛାୟା ଖେଳିଯାଇଛି ।

୧୦.୦୬.୧୯୩୧ ମସିହା ଜୁନ ୧୦ ତାରିଖରେ ସମ୍ବଲପୁର ଝାଡ଼ୁଆପଡ଼ାରେ ବୃନ୍ଦାବନ ପଣ୍ଡା ଓ ଜାନକୀ ଦେବୀଙ୍କ ତୃତୀୟ ସନ୍ତାନ ଭାବରେ ଜନ୍ମଗ୍ରହଣ କରିଥିବା ନିରଞ୍ଜନ ଗଙ୍ଗାଧର ମେହେର କଲେଜରେ ଅଧ୍ୟୟନ କରିବା ପରେ ବନାରସ ଓ ଏଲାହାବାଦରେ ଉଚ୍ଚତର ଶିକ୍ଷା ଗ୍ରହଣ କରି ଆମେରିକାରେ ପିଏଚଡ଼ି ଡିଗ୍ରୀ ଲାଭ କରିଥିଲେ ।

ସେ ବାରଣାସୀ, ଏଲାହାବାଦ, ରାଂଚି, କଲିକତା, ବିଶ୍ୱଭାରତୀ ଓ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟର ବୋର୍ଡ଼ ଅଫ୍ ଷ୍ଟଡ଼ିଜ ତଥା ପରି·ଳନା କମିଟି ସଭ୍ୟ ଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଏକ ଆଧୁନିକ ଗବେଷଣାଗାରକୁ ତାଙ୍କ ନାମରେ ନାମିତ କରାଯାଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ସଫଳତାର ସହ ତୁଲାଇବା ପରେ ସେ ୨୦୦୬ ମସିହା ଜୁଲାଇରୁ ୨୦୧୧ ଜୁଲାଇ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ।

ହୃତପିଣ୍ଡରେ ଅସ୍ତ୍ରୋପଚାର ପରେ ଗତ କିଛି ଦିନ ଧରି ସେ ଗୁରୁତର ଅସୁସ୍ଥ ଥିଲେ । ସେ ଜ୍ୟେଷ୍ଠପୁତ୍ର ଆଇଟିସିର ବରିଷ୍ଠ ଅଧିକାରୀ ସ୍ୱରୂପ ପଣ୍ଡାଙ୍କ ପାଖରେ ରହୁଥିଲେ ।

ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଗୁରୁବାର ଦିନ ତାଙ୍କ ମରଶରୀରକୁ କଲକାତାରୁ ଭୁବନେଶ୍ୱରସ୍ଥିତ ବାସଭବନକୁ ଅଣାଯିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଦାହସକ୍ରାର କରାଯିବ ବୋଲି ପାରିବାରିକ ସୂତ୍ରରୁ ଜଣାପଡ଼ିଛି ।

ଓଡିଶା ଡଟ୍ କମ୍

Exit mobile version