Site icon Odisha.com

ରାଜ୍ୟରେ ୪୯ ହଜାର ଶିକ୍ଷକ ପଦବୀ ଖାଲି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)-ରାଜ୍ୟରେ ୪୯ ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ପଦବୀ ଖାଲି ପଡିଛି । ସେଥିରୁ ୧୭ ହଜାର କରାଯାଇଛି । ବାକି ୩୨ ହଜାର ପଦବୀ ଦୁଇଟି ପର୍ଯ୍ୟାୟରେ ପୂରଣ ନେଇ ଉଦ୍ୟମ କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ରବି ନାରାୟଣ ନନ୍ଦ ବିଧାନ ସଭାରେ କହିଛନ୍ତି ।

ଗୁରୁବାର ଦିନ ବିରୋଧୀ ଦଳ ନେତା ଭୁପିନ୍ଦର ସିଂହ ଅଭିଯୋଗ କରିଥିଲେ ଯେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୂଶୁଡି ପଡିଛି । ରାଜ୍ୟରେ ପ୍ରାୟ ଏକଲକ୍ଷ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ନିଯୁକ୍ତି ଦେବା ଜରୁରୀ । ଆନୁପାତିକ ହାରରେ ମଧ୍ୟ ଓଡଶା ପଛରେ ପଡିଛି ।

ଏହାର ଉତରରେ ବିଭାଗୀୟ ମନ୍ତ୍ରୀ କହିଲେ ସରକାର ଠିକ୍ ପଦକ୍ଷେପ ଗ୍ରହଣ କରିଛନ୍ତି । ଶିକ୍ଷକ-ଛାତ୍ର ଅନୁପାତିକ ହାରରେ ପ୍ରାଥମିକ ସ୍କୁଲରେ ୩୦ ଜଣ ଛାତ୍ରରେ ଜଣେ ଶିକ୍ଷକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲ କ୍ଷେତ୍ରରେ ପ୍ରତି ୩୫ ଛାତ୍ରରେ ଜଣେ ଶିକ୍ଷକ ପଦବୀ ରହିବାର ନିଷ୍ପତି ରହିଛି ।

ବିଧାୟକ ଦୁଷ୍ମନ୍ତ ନାୟକଙ୍କ ମୂଳପ୍ରଶ୍ନ ଏବଂ ଗୋବର୍ଦ୍ଧନ ଦାଶ ଓ ପଷ୍ପେନ୍ଦ୍ର ସିଂହଦେଓଙ୍କ ଅତିରିକ୍ତ ପ୍ରଶ୍ନର ଉତରରେ ମନ୍ତ୍ରୀ ଶ୍ରୀ ନନ୍ଦ କହିଲେ -ସରକାର ପ୍ରତି କିଲୋମିଟରରେ ଗୋଟିଏ ସ୍କୁଲ ଖୋଲିବା ନିଷ୍ପତି ନେଇଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢୀକରଣ କରାଯିବ ।

ବିଶେଷକରି କଳାହାଣ୍ଡି ଓ କୋରାପୁଟ ଭଳି ଜିଲ୍ଲାମାନଙ୍କରେ ଅଧିକ ଶିକ୍ଷକଙ୍କର ଆବଶ୍ୟକତା ରହିଛି । ସାରା ରାଜ୍ୟରେ ଖାଲିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ପଦବୀ ପୂରଣ ଆସନ୍ତା କେଇମାସ ଭିତରେ କରାଯିବ ।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ୫ଟି ପ୍ରାଥମିକ ବିଦ୍ୟାଳୟରେ ଅନୂନ୍ୟ ୨୦୦ ଜଣ ଲେଖାଏଁ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିଲେ ସୁଦ୍ଧା ୩ ଜଣକରି ଶିକ୍ଷକ ଅଛନ୍ତି । ଉକ୍ତ ବିଦ୍ୟାଳୟଗୁଡିକରେ ପିଲାମାନଙ୍କ ପାଠ ପଢାରେ କିଛିଟା ଅସୁବିଧା ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି ।

ଓଡିଶା ଡଟ୍ କମ୍

Exit mobile version