Site icon Odisha.com

ଜଷ୍ଟିସ ଗୋପାଳଗୌଡ଼ ସୁପ୍ରିମକୋର୍ଟ ବିଚାରପତି ହେବେ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ,ଡିସେମ୍ବର ୨୨(ଓଡିଶା ଡଟ୍ କମ୍)-ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ସୁପ୍ରିମକୋର୍ଟର ବିଚାରପତି ଭାବେ ଯୋଗଦେବେ । ଏ ସଂକ୍ରାନ୍ତରେ ଶୁକ୍ରବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆସନ୍ତା ୨୪ ତାରିଖ ପୂର୍ବାହ୍ଣ ୧୧ଟା ବେଳେ ଜଷ୍ଟିସ ଗୋପାଳଗୌଡ଼ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ହାଇକୋର୍ଟର ସର୍ବବରିଷ୍ଠ ବିଚାରପତି ପ୍ରଦୀପ କୁମାର ମହାନ୍ତି କାର୍ଯ୍ୟକାରୀ ମୁଖ୍ୟବିଚାରପତି ଭାବେ ଦଦାୟିତ୍ୱ ତୁଲାଇବେ ।

ଜଷ୍ଟିସ ଗୋପାଳଗୌଡ଼ ସର୍ବୋଚ୍ଚ ଅଦାଲତର ବିଚାରପତିରୂପେ ନିଯୁକ୍ତି ପାଇବାପରେ ତାଙ୍କ ସ୍ଥାନରେ ଜଷ୍ଟିସ ମହାନ୍ତି କାର୍ଯ୍ୟକରିବେ । ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୁପ୍ରିମକୋର୍ଟର କଲିଜିୟମ ପକ୍ଷରୁ ଜଷ୍ଟିସ ଗୋପାଳଗୌଡ଼ଙ୍କ ସମେତ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଏମ.ୱାଇ. ଇକବଲ ଓ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ବିକ୍ରମଜିତ ସେନଙ୍କ ନାମ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାପାଇଁ ସୁପାରିସ କରାଯାଇଥିଲା ।

କର୍ଣ୍ଣାଟକର କୋଲାର ଜିଲ୍ଲା ଅନ୍ତର୍ଗତ ପେଦୁରଠାରେ ୬ ଅକ୍ଟୋବର ୧୯୫୧ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଭି.ଗୋପାଳଗୌଡ ଫାଷ୍ଟ୍ ଗ୍ରେଡ୍ କଲେଜରୁ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ୧୯୭୫ରେ ଏଲ ଏଲ୍ ବି ଡିଗ୍ରି ହାସଲ କରିଥିଲେ । ୧୯୯୭ ମସିହାରେ ଜଷ୍ଟିସ ଗୌଡ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।

୧୯୯୯ରେ ସେ କର୍ଣ୍ଣାଟକ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୦ ମାର୍ଚ୍ଚ ୨୫ ତାରିଖରେ ଜଷ୍ଟିସ ଗୌଡ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version