Site icon Odisha.com

ହଟ୍ଟଗୋଳ ମଧ୍ୟରେ ସରିଲା ଶୀତ ଅଧିବେଶନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୨(ଓଡିଶା ଡଟ୍ କମ୍)-ଶୀତ ଅଧିବେଶନର ଶେଷ ଦିନରେ ବଧାନସଭାରେ ହୋଇଥିଲା ପ୍ରବଳ ହଟ୍ଟଗୋଳ ଓ ଫାଇଲ ଫିଙ୍ଗା । ଏହିପରି ଭାବରେ ଶେଷ ହୋଇଛି ଚଳିତ ବର୍ଷର ଶୀତ ଅଧିବେଶନ ।

ଶନିବାର ଦିନ ବିଧାନସଭାର ଶେଷ ଦିବସରେ ବିରୋଧୀ ଦଳର ସଦସ୍ୟମାନେ କୃଷକ ସମସ୍ୟାକୁ ନେଇ ହଙ୍ଗାମା କରିଛନ୍ତି । ଚାଷୀଙ୍କ ସମସ୍ୟାକୁ ନେଇ କଂଗ୍ରେସ ବିଧାୟକମାନେ ଫ୍ଲା କାଡ ଦେଖାଇଥିଲେ । ଚାଷୀଙ୍କ ସମସ୍ୟାନେଇ କଂଗ୍ରେସ ତରଫରୁ ଯେଉଁ ମୁଲତବୀ ପ୍ରସ୍ତାବ ଆସିଥିଲା ବାଚସ୍ପତି ତାକୁ ଗ୍ରହଣ କରିନଥିଲେ ।

ପ୍ରଶ୍ନୋତରକାଳର ମାତ୍ର ପାଞ୍ଚ ମିନିଟ ପରେ ୧୨.୩୦ ପର୍ଯ୍ୟନ୍ତ ବାଚସ୍ପତି ଗୃହକାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ।

ଏହାପରେ ବିରୋଧୀ ବିଧାୟକମାନେ ବିଧାନସଭା ପରିସରରେ ଧାରଣା ଦେଇଥିଲେ । ଅପରାହ୍ନ ଅଧିବେଶନରେ ସମବାୟ ସଂଶୋଧନ ବିଲ୍ ଅନୁମୋଦିତ ହେବା ବେଳେ ପୁଣି ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ ।

କଂଗ୍ରେସ ଦଳର ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ଫାଇଲପତ୍ର ଫୋପାଡି ଦେଇଥିଲେ । ପ୍ରାୟ ଅଧଘଣ୍ଟା କାଳ ଗୃହକୁ ହୁଲୁସ୍ତୁଲ କରିଥିଲେ କଂଗ୍ରେସ ସଦସ୍ୟମାନେ । ତାମଧ୍ୟରେ ଗୃହିତ ହୋଇଯାଇଥିଲା ବିଲ୍ ।

ଏ ଘଟଣାକୁ ନେଇ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଛନ୍ତି ଯାହା ଆଜି ଘଟିଗଲା ତାହା ହେଉଛି ସବୁଠୁଁ କଳଙ୍କମୟ ଦିନ । ଆଜିର ଦିନଟି ହେଉଛି କଳା ଦିବସ ।

ଓଡିଶା ବିଧାନସଭା ଇତିହାସରେ ଯେଭଳି ଭାବରେ ଗୃହ ପରିଚାଳନା କରାଯାଉଛି । ଏଠି ସରକାର ଯାହା ଚାହିଁବେ ତାହା ହିଁ ହେବ । ଗଣତନ୍ତ୍ର ଏଠି ନାହିଁ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି ।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଶାସକ ଦଳ କେଉଁ ପରିସ୍ଥିତିରେ କେଉଁଭଳି କାର୍ଯ୍ୟ କରୁଛନ୍ତି ତାହା ବୁଝାଯାଉନାହିଁ । ବିଧାନସଭାରେ ବିରୋଧୀଙ୍କ ଆଚରଣକୁ ନିନ୍ଦା କରିଛନ୍ତି ଶାସକ ଦଳର ମୁଖ୍ୟ ସଚେତକ ପ୍ରଭାତ କୁମାର ତ୍ରିପାଠୀ ।

ପ୍ରଥମେ ୧୨.୩୦ମି. ପରେ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଗୃହ ମୁଲତବୀ ହୋଇଥିଲା । ତାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃିତି ରଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏହି ଅଧିବେଶନ ଭଲ ଭାବରେ ଶେଷ ହୋଇଛି ଓ ଶାନ୍ତି ପୂର୍ଣ୍ଣ ଥିଲା ।

ଏହି ଅଧିବେଶନରେ ମୋଟ ୧୫ଟି ବିଲ୍ ପାସ ହୋଇଛି । ରାଜ୍ୟବାସୀଙ୍କ ହିତଲାଗି ଅନେକ ବିଷୟରେ ଆଲୋଚନା ହୋଇଛି । ସେତେବେଳେ ମଧ୍ୟ କଂଗ୍ରେସ ବିଧାୟକମାନେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ଫଳରେ ବାଚସ୍ପତି ଅନିଦିଷ୍ଟ କାଳପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version