Site icon Odisha.com

ମହିଳା ବିଶ୍ୱକପ ଦଳରେ ବଲାଙ୍ଗୀରର ରୋଶନ୍ନାରା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୫(ଓଡିଶା ଡଟ୍ କମ୍ )-୨୦୧୩ ଜାନୁୟାରୀ ୩୧ରୁ ଫେବୃୟାରୀ ୧୭ ପର୍ଯ୍ୟନ୍ତ ବମ୍ବେରେ ଆୟୋଜିତ ହେବ ଆଇସିସି ମହିଳା କ୍ରିକେଟ ବିଶ୍ୱକପ । ଏହଥିପାଇଁ ସୋମବାର ଘୋଷିତ ଭାରତୀୟ ଦଳରେ ଓଡିଶାର ରୋଶନ୍ନାରା ପରବିନ ସ୍ଥାନ ପାଇଛନ୍ତି ।

ଚଳିତବର୍ଷ ଆଇସିସି ମହିଳା ଟ୍ୱେଂଟି୨୦ ବିଶ୍ୱକପ ଓ ଟ୍ୱେଂଟି୨୦ ଏସିଆ କପ ପରେ ୫୦ ଓଭରର ବିଶ୍ୱକପ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ବଲାଙ୍ଗୀରର ରୋଶନ୍ନାରା । ପ୍ରଥମ ଓଡ଼ିଆ ଭାବେ ମହିଳା ଟ୍ୱେଂଟି୨୦ ବିଶ୍ୱକପ ଖେଳିବାର ଗୌରବ ହାସଲ କରିଥିବା ରୋଶନ୍ନାରା ପ୍ରଥମ ଓଡ଼ିଆ ଭାବେ ବିଶ୍ୱକପ ଖେଳିବାକୁ ସୁଯୋଗ ପାଇଛନ୍ତି ।

ରୋଶନ୍ନାରା ବିଶ୍ୱକପ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳତା କାମନା କରିଛନ୍ତି ।

ହାଟପଦାପଡ଼ା ନିକଟସ୍ଥ ବିଭୁତି ପଡ଼ାରେ ଭଡ଼ା ଘରେ ରହନ୍ତି ରୋଶନ୍ନାରା । ରୋଶନ୍ନାରାଙ୍କ ବାପା କେଫାତୁଲ୍ଲା ଖାନ ଜଣେ ଛୋଟ ବ୍ୟବସାୟୀ । କୋଚ୍ ଅରୁଣ ନାୟକଙ୍କ କହିବା ହେଲା, ଏସିଆ କପ୍ ପରେ ଭାରତ-ଅଷ୍ଟ୍ରେଲିଆ ସିରିଜ୍କୁ ଦୃଷ୍ଟିରେ ରଖି ରୋଶନ୍ନାରା କଠିନ ପରିଶ୍ରମ କରିଛି ଏବଂ ଏହି ସିରିଜ୍ ରେ ଉନ୍ନତମାନର ଖେଳ ପ୍ରଦର୍ଶନ କରି ଟିମ୍କୁ ସଫଳତା ଦେବା ସେ ଲକ୍ଷ୍ୟ ରଖିଛି ।

ଏହା ସହ ରୋଶନ୍ନାରା ଜଣେ ଭଲ ସ୍ପିନର ହୋଇଥିବାରୁ ଏଥର ରୋଶନ୍ନାରାଙ୍କ ବୋଲିଂ ପ୍ରଦର୍ଶନ ଉଚ୍ଚକୋଟୀର ହେବ ବୋଲି ଶ୍ରୀ ନାୟକ କହନ୍ତି ।
ବଲାଙ୍ଗୀରର ୨୧ ବର୍ଷ ବୟସ୍କା ରୋଶନ୍ନାରା ଚଳିତବର୍ଷ ପ୍ରଥମଥର ପାଇଁ ଶ୍ରୀଲଙ୍କାରେ ଆୟୋଜିତ ୨୦୧୨ ମହିଳା ଟ୍ୱେଂଟି ୨୦ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇ ଚମତ୍କାର ବୋଲିଂ କରିଥିଲେ ।

ପରେ ଅକ୍ଟୋବରରେ ଚୀନରେ ଆୟୋଜିତ ମହିଳା ଟ୍ୱେଂଟି୨୦ ଏସିଆ କପରେ ମଧ୍ୟ ରୋଶନ୍ନାରା ଭାରତୀୟ ଦଳରେ ସ୍ଥାନପାଇ ଭଲ ପ୍ରଦର୍ଶନ କରିଥିଲେ । ଭାରତୀୟ ମହିଳା କ୍ରିକେଟ ଦଳରେ ସ୍ଥାନ ପାଇବାରେ ରୋଶନ୍ନାରା ୨ୟ ଓଡ଼ିଆ । ତାଙ୍କ ପୂର୍ବରୁ ସେହି ବଲାଙ୍ଗୀରର ମାଧୁରୀ ମେହେଟ୍ଟା ଭାରତୀୟ ଦିନିକିଆ ଦଳରେ ସ୍ଥାନପାଇ ୱେଷ୍ଟଇଣ୍ଡିଜ ଗସ୍ତ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version