Site icon Odisha.com

ଶପଥ ନେଲେ ସୁପ୍ରିମକୋର୍ଟ ବିଚାରପତି ରୂପେ ଜଷ୍ଟିସ ଗୋପାଳଗୌଡ଼

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ,ଡିସେମ୍ବର ୨୫(ଓଡିଶା ଡଟ୍ କମ୍ )-ସୋମବାର ଦିନ ଜଷ୍ଟିସ ଭି.ଗୋପାଳଗୌଡ଼ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଏକ ନିରାଡ଼ମ୍ବର ଉତ୍ସବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନବିଚାରପତି ଅଲତମାସ କବୀର ତାଙ୍କୁ ଶପଥ ପାଠ କରାଇଥିଲେ ।

ପୂର୍ବରୁ ଓଡ଼ିଶା ହାଇକୋର୍ଟରୁ ଯାଇଥିବା ମୁଖ୍ୟ ବିଚାରପତି ବି.ଏସ. ଚୌହାନ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ ତୁଲାଉଛନ୍ତି । ସେହିପରି ଏବେ ସୁପ୍ରିମକୋର୍ଟରେ ଓଡ଼ିଆ ବିଚାରପତି ଭାବେ ଅନଙ୍ଗକୁମାର ପଟ୍ଟନାୟକ ଓ ଜଷ୍ଟିସ ଦୀପକ ମିଶ୍ର କାର୍ଯ୍ୟରତ ଅଛନ୍ତି । ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏହି ଉତ୍ସବରେ ଉପସ୍ଥିତ ଥିଲେ ।

ସୁପ୍ରିମକୋର୍ଟର କଲିଜିୟମ ପକ୍ଷରୁ ଜଷ୍ଟିସ ଗୋପାଳଗୌଡ଼ଙ୍କ ସମେତ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଏମ.ୱାଇ. ଇକବଲ ଓ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ବିକ୍ରମଜିତ ସେନଙ୍କ ନାମ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାପାଇଁ ସୁପାରିସ କରାଯାଇଥିଲା ।

କର୍ଣ୍ଣାଟକର କୋଲାର ଜିଲ୍ଲା ଅନ୍ତର୍ଗତ ପେଦୁରଠାରେ ୬ ଅକ୍ଟୋବର ୧୯୫୧ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଭି.ଗୋପାଳଗୌଡ ଫାଷ୍ଟ୍ ଗ୍ରେଡ୍ କଲେଜରୁ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ୧୯୭୫ରେ ଏଲ ଏଲ୍ ବି ଡିଗ୍ରି ହାସଲ କରିଥିଲେ । ୧୯୯୭ ମସିହାରେ ଜଷ୍ଟିସ ଗୌଡ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।

୧୯୯୯ରେ ସେ କର୍ଣ୍ଣାଟକ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଦଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୦ ମାର୍ଚ୍ଚ ୨୫ ତାରିଖରେ ଜଷ୍ଟିସ ଗୌଡ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version