Site icon Odisha.com

ଶୀତର ପ୍ରକୋପ ଆହୁରି ୨୪ ଘଣ୍ଟା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୮(ଓଡିଶା ଡଟ୍ କମ୍ )- ସାରା ରାଜ୍ୟରେ ପ୍ରଚଣ୍ଡ ଜାଡ଼ ଅନୁଭୂତ ହେଉଥିବାବେଳେ ଆହୁରି ଉପକୂଳ ଓଡିଶାରେ ୨୪ଘଣ୍ଟା ଏବଂ ଆଭ୍ୟନ୍ତରିଣ ଅଞ୍ଚଳରେ ୪୮ ଘଣ୍ଟା ଧରି ଶୀତ ପ୍ରକୋପ ଲାଗି ରହିବ ବୋଲି ପାଣି ପାଗ ବିଭାଗ ଆକଳନ କରିିଛି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଓଡିଶାକୁ ଉତର ଓ ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଥିବାରୁ ଶୀତ ପ୍ରକୋପ ଲାଗିରହିଛି । ୫ ଦିନ ଧରି ଲାଗିରହିଥିବା ଶୀତର ପ୍ରକୋପ ଆଜି ମଧ୍ୟ ଲାଗି ରହିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଅଭ୍ୟନ୍ତରୀଣ ଓ ଉତର ଉପକୂଳରେ ଶୀତ ପ୍ରବାହ ଲାଗିରହିବ ।

ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ସବୁଠୁ ତଳେ ରହିଛି । ଏଠାରେ କ୍ରମାଗତ ଭାବେ ଦୁଇଦିନ ହେଲା ତାପମାତ୍ରା ୩ଡିଗ୍ରୀ ରହୁଥିବାବେେଳେ ଆଜି ୨ଡିଗ୍ରୀ ସେଲସିୟସ ଥିବା ରେକର୍ଡ଼ କରାଯାଇଛି ।

ରାଜ୍ୟର ୧୨ଟି ସ୍ଥାନରେ ପାରଦ ୧୦ଡିଗ୍ରୀ ତଳେ ଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି । କଟକର ତାପମାତ୍ରା ୧୦.୫ଡିଗ୍ରୀ ଥିବାବେଳେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୦.୭ଡିଗ୍ରୀ ସେଲସିୟସ ରହିଥିବା ସୂଚନା ମିଳିଛି ।

ଅଧିକାଂଶ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ।ସୁନ୍ଦରଗଡ ବାରିପଦାରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ସେଲସିୟସ ଥିବାବେଳେ , କେନ୍ଦୁଝରଗଡ଼ରେ ୬, ସମ୍ବଲପୁରରେ ୬.୫, ବଲାଙ୍ଗୀରରେ ୭.୧, ଝାରସୁଗୁଡ଼ା ଓ ଭବାନୀପାଟଣାରେ ୮, ବାଲେଶ୍ୱରରେ ୯, ହୀରାକୁଦରେ ୯.୪, କୋରାପୁଟରେ ୯.୫, ଅନୁଗୋଳରେ ୯.୬ ଡିଗ୍ରୀ ରହିଛି ।

ତାପମାତ୍ରା ରେକର୍ଡ଼ିଂ କରାଯାଉଥିବା ୨୨ଟି କେନ୍ଦ୍ର ମଧ୍ୟରୁ ୧୨ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ତଳେ ଥିବାବେଳେ ଅନ୍ୟ ୧୦ଟି କେନ୍ଦ୍ର ମଧ୍ୟରୁ ଗୋପାଳପୁର ଓ ପାରାଦ୍ୱୀପକୁ ବାଦ ଦେଲେ ଅନ୍ୟ ସବୁଠି ସର୍ବନିମ୍ନ ତାପମାତ୍ରା ୧୪ଡିଗ୍ରୀ ତଳେ ରହିଛି ।

ଓଡିଶା ଡଟ୍ କମ୍

Exit mobile version