Site icon Odisha.com

ସ୍ୱାମୀ ବିବେକାନନ୍ଦ ଜୟନ୍ତୀରେ ସମାବେଶ, ସାଧାରଣ ସଭା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୮(ଓଡିଶା ଡଟ୍ କମ୍)-ଜାନୁଆରୀ ୧୨ତାରିଖରେ ସ୍ୱାମୀ ବିବେକାନନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରାଯାଉ ଅଛି । ଏଥି ପାଇଁ ସମଗ୍ର ଦେଶରେ ବିବେକାନନ୍ଦ ସାର୍ଦ୍ଧ ସମିତି ସମାରୋହ ସମିତି ଗଠନ କରାଯାଇଛି ।

କେରଳ ପ୍ରଦେଶର ମାତା ଅମୃତାମୟୀ ଏଥିରେ ଅଧ୍ୟକ୍ଷତା କରୁଛନ୍ତି । ଓଡିଶାରେ ଏହି ସମିତିର ଅଧ୍ୟକ୍ଷତା କରୁଛନ୍ତି କର୍ଣ୍ଣେଲ ଶରତ ମହାପାତ୍ର । ଆସନ୍ତା ଜାନୁଆରୀ ୧୨ତାରିଖରେ ଓଡିଶା ତଥା ସମଗ୍ର ଦେଶରେ ଏହି ସମିତି ଦ୍ୱାରାସମାବେଶ ଓ ସାଧାରଣ ସଭାର ଆୟୋଜନ କରାଯାଉଛି ।

ଭୁବନେଶ୍ୱରରେ ମଧ୍ୟ ଏହି ଦିନ ୟୁନିଟ୍-୩ କ୍ୟାପିଟାଲ୍ ହାଇସ୍କୁଲ ପଡିଆରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହେବ । ପ୍ରଥମେ ଅପରାହ୍ନ ୨ଟା ୩୦ରେ ଛାତ୍ରଛାତ୍ରୀ, ଯୁବକଯୁବତୀ ଓ ସମାଜର ସମସ୍ତ ଜାତି ସନ୍ଥର ନାଗରିକ ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କ୍ୟାପିଟାଲ୍ ହାଇସ୍କୁଲରୁ ବାହାରି ରାମ ମନ୍ଦିର ପଛ ଦେଇ ଲୋୟର ପିଏମଜିରେ ପହଞ୍ଚିବ ।

ସେଠାରୁ ମାଷ୍ଟର କ୍ୟାଣ୍ଟିନ ଦେଇ ରାମ ମନ୍ଦିର ସାମନା ପଟରୁ କ୍ୟାପିଟାଲ୍ ହାଇସ୍କୁଲରେ ପୁଣି ଥରେ ପହଞ୍ଚିବ । ସେଠାରେ ଅପରାହ୍ନ ୩ଟା ୩୦ରେ ଏକ ସାଧାରଣ ସଭା ହେବ । ଏହି ସଭାରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଓ ଗବେଷକ ଡକ୍ଟର କବି ପ୍ରସାଦ ମିଶ୍ର ମୁଖ୍ୟ ବକ୍ତା, ଚିନ୍ମୟ ମିଶନର ଆଞ୍ଚଳିକ ସଂଯୋଜକ ଶ୍ରୀ ସଦାନନ୍ଦଜୀ ମହାରାଜ ସମ୍ମାନୀତ ଅତିଥି ଭାବେ ଯୋଗଦେବେ । ସଭାରେ ଅଧ୍ୟକ୍ଷତା କରିବେ ବିଶିଷ୍ଟ ସ୍ତମ୍ଭକାର କର୍ଣ୍ଣେଲ ଶରତ ମହାପାତ୍ର ।

ଶୋଭାଯାତ୍ରାରେ ଭୁବନେଶ୍ୱରର ଅନେକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାମୀ ବିବେକାନନ୍ଦଙ୍କ ବେଶରେ ସଜ୍ଜିତ ହୋଇ ତଥା ସ୍ୱାମୀଜୀଙ୍କ ବାଣୀର ପ୍ଲାକାର୍ଜ ଧରି ନଗର ପରିକ୍ରମା କରିବେ । ସ୍ୱାମୀ ବିବେକାନନ୍ଦଙ୍କ ସୁନ୍ଦର ବେଶ ପ୍ରତିଯୋଗିତାରେ କୃତି ବିଦ୍ୟାଳୟ ମାନଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯିବ ।

ଏହି ସଭାରେ ଭୁବନେଶ୍ୱର ମହାନଗରର ସମସ୍ତ ଆଧ୍ୟାତ୍ମିକ ସଙ୍ଗଠନର କର୍ମକର୍ତା ଓ ଭକ୍ତଗଣ ବହୁ ସଂଖ୍ୟାରେ ଯୋଗଦେବେ । ଜନସାଧାରଣ ଏଥିରେ ବହୁସଂଖ୍ୟାରେ ଯୋଗଦେବା ପାଇଁ ସମାରୋହ ସମିତି ତରଫରୁ ଅନୁରୋଧ କରାଯାଇଛି ।

ଓଡିଶା ଡଟ୍ କମ୍

Exit mobile version