Site icon Odisha.com

ଆଦିବାସୀଙ୍କ ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭବାନୀପାଟଣା, ଜାନୁଆରୀ ୧୩(ଓଡିଶା ଡଟ୍ କମ୍)-କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶ ଆଜି ୨୦୦କୋଟି ଟଙ୍କାର ଇନ୍ଦିରା ଆବାସ ପ୍ୟାକେଜ ଘୋଷଣା କରିଛନ୍ତି । ଯାହାଫଳରେ ୨୧୦୦ଟି ଆଦିବାସୀ ପରିବାରର ୭୫ ହଜାର ଲେଖାଏଁ ପାଇବେ ।

ଦୁଇଦିନର ଓଡିଶା ଗସ୍ତ ଅବସରରେ ଲାଞ୍ଜିଗଡଠାରେ ଆୟୋଜିତ ରବିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରମେଶ ଏହି ଘୋଷଣା କରିଛନ୍ତି ।

ରମେଶ ଆଜି କଳାହାଣ୍ଡି ଗସ୍ତରେ ଆସି ଲାଞ୍ଜିଗଡ ଗସ୍ତ କରିଥିଲେ । ସେ ବିଶ୍ୱନାଥପୁର ନିକଟସ୍ଥ ଧଅଁରାଭଟ୍ଟାଠାରେ ଥିବା ନବନିର୍ମିତ ମଡେଲ ସ୍କୁଲ କୋଠା ଉଦ୍ଘାଟନକରି ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାଝି ଓ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା ସସ୍ମିତା ମାଝୀଙ୍କୁ ଭେଟି ଆଲୋଚନା କରିଥିଲେ ।

ପରେ ଲାଞ୍ଜିଗଡ ଗ୍ରାମ ନିକଟସ୍ଥ ସ୍କୁଲ ପଡିଆଠାରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ଆଦିବାସୀଙ୍କ ସୁରକ୍ଷା ସହିତ ସେମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ବଦ୍ଧପରିକର । ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଅନୁଦାନ ପଠା ଯାଉଛି ।

ରାଜସ୍ୱ ପାଇଁ ଆଦିବାସୀଙ୍କ ଜୀବନ ଜୀବିକା ଉପରେ ଖେଳା ଯିବନାହିଁ ବୋଲି ଭାଷଣ ଅବସରରେ ଶ୍ରୀ ରମେଶ ପ୍ରକାଶ କରିଥିଲେ । ଏଥିସହ ସେ ଆଦିବାସୀ ଡଙ୍ଗରିଆ ଓ ଝରଣିଆ କନ୍ଧଙ୍କ ସହ ଆଲୋଚନା କରିଥିଲେ ।

ତାଙ୍କ ସହ କଳାହାଣ୍ଡି ସାଂସଦ ଭକ୍ତ ଚରଣ ଦାସ, କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିନିଲ କ୍ରୀଷ୍ଣା ମଧ୍ୟ ଯୋଗଦେଇଥିଲେ । ପରେ ମନ୍ତ୍ରୀ ଭବାନୀପାଟଣା ଆସି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version