Site icon Odisha.com

ଭିତରକନିକା ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କେନ୍ଦ୍ରାପଡା, ଜାନୁଆରୀ ୧୩(ଓଡିଶା ଡଟ୍ କମ୍)-ମଦ୍ୟପ ଯୁବକ ଗଣ୍ଡଗୋଳ କରି ବନକର୍ମଚାରୀଙ୍କୁ ମାଡ଼ ମାରିଥିବା ହେତୁ ଡାଙ୍ଗମାଳ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ଏଥିପାଇଁ ବାଧ୍ୟହୋଇ ଭିତରକନିକା ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ବୋଲି ବନଖଣ୍ଡ ଅଧିକାରୀ ମନୋଜ ମହାପାତ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ପରିସ୍ଥିତି ସୁଧୁରିଲେ ପର୍ଯ୍ୟଟକଙ୍କ ପାଇଁ ପୁଣି ଭିତରକନିକା ଖୋଲା ରହିବ । ସୂଚନା ଯୋଗ୍ୟ ଯେ,ବିଶ୍ୱପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।

ମାତ୍ର ତିନିଦିନ ହେଲା ଶହ ଶହ ପର୍ଯ୍ୟଟକ ଭିତରକନିକା ବନ୍ଦ ହେବା ଜାଣିନପାରି ନିରାଶରେ ଫେରୁଛନ୍ତି । ଫେରୁଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶହଶହ ପର୍ଯ୍ୟଟକ ଏଠାକୁ ଦୈନିକ ଆସୁଥିବାବେଳେ ୯ ତାରିଖ ରାତ୍ରିରେ କିଛି ମଦ୍ୟପ ଯୁବକ ଗଣ୍ଡଗୋଳ କରିବା ସହ ବନକର୍ମଚାରୀଙ୍କୁ ମାଡ଼ ମାରିଥିଲେ ।

ଫଳରେ ବନ ବିଭାଗ ଭିତରକନିକାକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି । ଗଣ୍ଡଗୋଳ କରିଥିବା ଯୁବକଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି ।

ଓଡିଶା ଡଟ୍ କମ୍

Exit mobile version