Site icon Odisha.com

ଓଡ଼ିଶୀ ନୃତ୍ୟ ସମ୍ଭାରରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦ୍ଘାଟିତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୪(ଓଡିଶା ଡଟ୍ କମ୍ )- ତିନିଦିନ ଧରି ହେବାକୁ ଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟ ପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ ଉଦ୍ଘାଟନ ହୋଇଥିଲା ।

ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନାରୁ । ଉକ୍ତଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ତୁଳସୀ ଦାସଙ୍କ ରଚନାରୁ ନମାମୀଶ ମୀଶାନ ନିର୍ବାଣ ରୂପଂ ଶିବ ସ୍ତୃତି ପରିବେଷଣ କରିଥିଲେ ।

ଏହି ସମବେତ ସଙ୍ଗୀତକୁ ନୀର୍ଦେଶନା ଦେଇଥିଲେ ଗୁରୁ ବିଜୟ କୁମାର ଜେନା । ପରବର୍ତୀ କାର୍ଯ୍ୟକ୍ରମ ଥିଲା ଏକକ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଥିଲେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନା ଓଡ଼ିଶୀ ନୃତ୍ୟ ଶିଳ୍ପୀ ସଙ୍ଗୀତା ଦାଶ ।

ତାଙ୍କର ପ୍ରଥମ ଅର୍ଘ୍ୟ ଥିଲା ବେଦସାର ଶିବସ୍ତୋତ୍ରମ । ଏଥିରେ ଦେବଦେବ ମହାଦେବଙ୍କର ରୂପ ଗୌରବ ମହିମାକୁ ଅତି ଚମକ୍ତାର ଭାବରେ ପରିବେଷଣ କରିଥିଲେ । ଯାହା ରାଗ କୌଶିକ ଆହାର ଏବଂ ତାଳ ଯତି ଉପରେ ନିବଦ୍ଧ ଥିଲା ।

ଗୁରୁ ରାମହରି ଦାସଙ୍କ ସ୍ୱର ସଂଯୋଜନା ଏବଂ ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ତାଳ ସଂଯୋଜନାରେ ସଙ୍ଗୀତା ନିଜେ ନୃତ୍ୟ ସଂଯୋଜନା କରିଥିଲେ । ତାଙ୍କର ପରବର୍ତୀ କାର୍ଯ୍ୟକ୍ରମ ଥିଲା ଅଭିନୟ । କବି ବନମାଳୀଙ୍କ ରଚନାରୁ ସେ ରାଧାକୃଷ୍ଣ ମିଳନର ଏକ କାବି୍ୟକ ଏବଂ ରସୋତିୀର୍ଣ୍ଣ ପରିବେଷଣ କରିଥିଲେ ।

ଏହା ରାଗ କିରବାଣୀ ଏବଂ ତାଳ ଯତି ଉପରେ ଆଧାରିତ । ଏହାର ସ୍ୱର ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଏବଂ ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର । ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ଶ୍ରୀ ଲିଙ୍ଗରାଜ ପ୍ରଧାନ ଓ ସଂଯୁକ୍ତା ରାଗ ହଂସକଲ୍ୟାଣ ଓ ମଠା ତାଳରେ ପଲ୍ଲବୀ ପରିବେଷଣ କରିଥିଲେ ।

ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଓ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ବିଚିତ୍ରା ନନ୍ଦ ସ୍ୱାଇଁ । ତାଙ୍କର ଦ୍ୱିତୀୟ ଅର୍ଘ୍ୟ ଥିଲା ଶଙ୍କରାଚାର୍ଯ୍ୟ କୃତ ଭବାନୀ ଭୁଜଙ୍ଗ ସ୍ତୋତ୍ରମ ।

ଯେଉଁଥିରେ ସେ ଶଙ୍କର ଓ ଭବନୀଙ୍କର ନୀରାଜନାକୁ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଶେଷ କାର୍ଯ୍ୟକ୍ରମ ଥିଲା ଦଳଗତ ନୃତ୍ୟ ଓଡ଼ିଶୀ ଗାଥା ଯାହାକୁ ପରିବେଷଣ କରିଥିଲେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ନୃତ୍ୟ ଶିଳ୍ପୀମାନେ । ଏଥିରେ ମନ୍ଦିରରୁ ମଂଚ ପର୍ଯ୍ୟନ୍ତ ଓଡ଼ିଶୀ ନୃତ୍ୟର ବିବର୍ତନକୁ ଅତି ଚମକ୍ତାର ଭାବେ ପରିବେଷଣ କରିଥିଲେ ।

ମାହାରି ଶୈଳୀରୁ ଆରମ୍ଭ କରି ମଙ୍ଗଳା ଚରଣ, ପଲ୍ଲବୀ, ସ୍ଥାୟୀ, ଅଭିନୟ ଓ ମୋକ୍ଷ ଆଦିର ଝଲକ ଦେଖାଇଥିଲେ । ପରେ ପରେ ରାମାୟଣ ବିଭନ୍ନ ପ୍ରସଙ୍ଗକୁ ନେଇ ପରିବେଷଣ କରିଥିଲେ ନବରଶ । ଏଥିରେ କଣ୍ଠ ଦାନ କରିଥିଲେ ରୂପକ ପରିଡ଼ା ଓ ନାଜିଆ ଆଲାମ । ମର୍ଦ୍ଧଳରେ ସହଯୋଗ କରିଥିଲେ ଗୁରୁ ବିଜୟ କୁମାର ବାରିକ୍‍, ବେହେଲାରେ ଅଗ୍ନିମିତ୍ର ବେହେରା, ବଂଶୀରେ ଶ୍ରୀନିବାସ ଶତପଥୀ ଓ ମଞ୍ଜିରାରେ ସୀତାକାନ୍ତ ଜେନା ।

ଉଦଘାଟନୀ ସଂଧ୍ୟାର ଏହି ମନୋରମ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିଥିଲେ । ଆଜି ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ଆମେରିକାର ଦୃତାବାସର ରାଷ୍ଟ୍ରଦୂତ ନାନସି ଯେ ପାଓଲ ।

ଓଡିଶା ଡଟ୍ କମ୍

Exit mobile version