Site icon Odisha.com

ଗୁଟଖା ନିଷେଧାଦେଶ ଉପରେ ୧୭ରେ ଭିଡିଓକନ ଫରେନ୍ସିଂ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୧୫(ଓଡିଶା ଡଟ୍ କମ୍)-ଗୁଟକା ବିକ୍ରି ଉପରେ ଜାରି ହୋଇଥିବା ନିଷେଧାଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ଦିଗରେ ସଚେତନତା ସୃଷ୍ଟି ଓ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଜିଲ୍ଲାପାଳ ଓ ଏସପିମାନଙ୍କ ସହିତ ଆସନ୍ତା ୧୭ରେ ଭିଡିଓକନ ଫରେନ୍ସିଂ କରାଯିବାକୁ ସ୍ଥିର ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ଗୁଟଖା ଓ ପାନ ମସଲା ବ୍ୟବହାର ଉପରେ ଜାନୁୟାରୀ ୩ରେ ଏଥିନେଇ ନିଷେଧାଦେଶ ଜାରି କରାଯାଇଥିଲା । ନିକଟରେ ବ୍ୟବସାୟୀମାନେ ଏହାର ପ୍ରତିବାଦରେ ଏକ ଶୋଭାଯାତ୍ରା କରିଥିଲେ ।

ଏ ବାବଦରେ ସେମାନେ ଲକ୍ଷ ଲକ୍ଷ ଟଙ୍କା ପୁଞ୍ଜି ଖଟାଇଥିବାରୁ ଏହା ବେକାର ହୋଇଯିବ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ନିକଟକକୁ ସ୍ମାରକପତ୍ର ପଠାଯାଇଥିଲା । ବ୍ୟବସାୟୀଙ୍କ ନିକଟରେ ଏବେ ବହୁ ପରିମାଣର ଗୁଟଖା ଓ ପାନ ମସଲା ମହଜୁଦ ଅଛି ।

ଏଥିପାଇଁ ସେମାନଙ୍କୁ ସରକାରଙ୍କ ନିକଟରେ ଟିକସ ବି ଦେବାକୁ ପଡ଼ିଛି । ଆସନ୍ତା ଫେବୃୟାରୀ ୧୫ ପର୍ଯ୍ୟନ୍ତ ବ୍ୟବସାୟୀମାନଙ୍କୁ ଗୁଟଖା ଓ ତମାଖୁ ମିଶ୍ରିତ ପାନ ମସଲା ବିକ୍ରି ପାଇଁ ସରକାର ଅନୁମତି ଦେଇପାରନ୍ତି ବୋଲି କେତେକ ମହଲରେ ପ୍ରଚାର ଚାଲିଥିବାବେଳେ ଏହାକୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଅସ୍ୱୀକାର କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version