Site icon Odisha.com

ମୁକ୍ତେଶ୍ୱର ଉତ୍ସବର ଶେଷ ସନ୍ଧ୍ୟାରେ ଓଡ଼ିଶୀ ରସରେ ଦର୍ଶକ ବିମୁଗ୍ଧ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୬(ଓଡ଼ିଶା ଡ଼ଟ୍ କମ୍)- ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରାଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ ।

ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଧଶକ ଡ଼. ଶାନ୍ତନୁ ମହାପାତ୍ର ଓ ତାଙ୍କ ସାଥୀଙ୍କ ଦ୍ୱାରାସଂଯୋଜିତ ଶିବ ବନ୍ଦନାରୁ । ଯାହାକୁ ରଚନା କରିଥିଲେ ଗୁରୁକୃଷ୍ଣ ଗୋସ୍ୱାମୀ ।

ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର ମଙ୍ଗଳା ଚରଣରେ ରାବଣକୃତ ଶିବ ତାଣ୍ଡବ ଜଟାଟବୀକୁ ପରିବେଷଣ କରିଥିଲେ ।

ରାଗ ଭଟିଆରୀ ଓ ତାଳ ଏକତାଳୀରେ ନିବଦ୍ଧ ଏହି ମଙ୍ଗଳା ଚରଣର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁ ଚରଣ ମହାପାତ୍ର ।

ପରେ ସେ ଶୁଦ୍ଧ ନୃତ୍ୟ ପର୍ଯ୍ୟାୟରେ ଯୁଗ୍ମ ଦ୍ୱନ୍ଦ ପଲ୍ଲବୀ ପରିବେଷଣ କରିଥିଲେ । ବାଦ୍ୟ ଓ ନୃତ୍ୟ୍ୟ ଛନ୍ଦର ମଧୁର ଆଳାପକୁ ଅପୁର୍ବ ନୃତ୍ୟଭଙ୍ଗିରେ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ ସୁଜାତା ।

ରାଗ ବାଗେଶ୍ରୀ ଓ ତାଳ ଏକତାଳୀରେ ନିବଦ୍ଧ ଏହି ଯୁଗ୍ମ ଦ୍ୱନ୍ଦ ପଲ୍ଲବୀର ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଓ ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ।

ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ପ୍ରତିଭାବାନ ଦୁଇ ଶିଷ୍ୟ ଦେବାଶୀଷ ପଟ୍ଟନାୟକ ଓ ନିଳାଦ୍ରୀ ଭୁଷଣ ମହାନ୍ତି ପ୍ରଥମେ ରାଗ କିରୁବାଣୀ ଏବଂ ତାଳ ଏକତାଳୀରେ ପଲ୍ଲବୀ ପରିବେଷଣ କରିଥିଲେ ଏବଂ ପରେ ଆଦିଶଙ୍କରାଚାର୍ଯ୍ୟ କୃତ ଶିବାଷ୍ଟକମରେ ସେମାନଙ୍କର ଅଭିନୟ ଅତି ଭାବମୟ ଥିଲା । ଯାହା ରାଗ ଭୈରବୀ ଓ ତାଳ ଏକତାଳୀରେ ଆଧାରିତ ଥିଲା ।

ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ, ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗା ଚରଣ ରଣବୀର । ଶିଲ୍ପୀଦ୍ୱୟଙ୍କର ଚମତ୍କାର ପରିବେଷଣରେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ ।

ଅନ୍ତିମ ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ରୂଷିଆରୁ ଆସିଥିବା ଭିତାଲିନା ଲୋବାକ ଏବଂ ସାଥୀମାନଙ୍କ ଦ୍ୱାରାଦଳଗତ ଓଡ଼ିଶୀ ନୃତ୍ୟ ।

ସେମାନଙ୍କର ପ୍ରଥମ ପ୍ରସ୍ତୁତି ଥିଲା ଶ୍ରୀଜଗନ୍ନାଥଷ୍ଟକ କଦାଚିତ କାଳନ୍ଦୀ ତଟ ଓ ପରେ ରାଗ ସାବେରୀ ଓ ତାଳ ଏକତାଳୀରେ ନିବଦ୍ଧ ସାବେରୀ ପଲ୍ଲବୀ ଏବଂ ଶେଷରେ ଅଭିନୟରେ ଦଶଅବତାର ପରିବେଷଣ କରି ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ ।

ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ।

ପ୍ରତି କର୍ଯ୍ୟକ୍ରମର ବିଷୟବସ୍ତୁକୁ ନେଇ ଅତି ଚମତ୍କାର ଭାବରେ ମଞ୍ଚ ପାଶ୍ୱର୍ରେ ଚିତ୍ର ଆଙ୍କିଥିଲେ ବିଖ୍ୟାତ ଚିତ୍ରକର ଶ୍ରୀ ବଳଦେବ ମହାରଥୀ । ଏହି ଓଡ଼ିଶୀ ନୃତ୍ୟ ଉତ୍ସବକୁ ଅନ୍ତିମ ଦିବସ ଶେଷ ଶୁଦ୍ଧା ୬୯୧୯ ଜଣ ଦେଶୀୟ ଓ ୨୬୨ ଜଣ ବିଦେଶୀ ଦର୍ଶକ ଉପଭୋଗ କରିଥିଲେ ।

ସନ୍ଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଦୁର୍ଗାଚରଣ ରଣବୀର; ନୃତ୍ୟ ସମୀକ୍ଷକ ମାଧବୀ ପୁରଣମ, ନୃତ୍ୟ ସମୀକ୍ଷକ ନୀତା ବିଦ୍ୟାର୍ଥୀ; ସୁଡ଼େନର ଶିଳ୍ପୀ ହୁଗୋ ଏଭରସ ଏବଂ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସାଧନା ଶ୍ରୀବାସ୍ତବା ଓ ଡ଼.ମୃତ୍ୟୁଞ୍ଜୟ ରଥ ।

ଓଡ଼ିଶା ଡ଼ଟ୍ କମ୍

Exit mobile version