Site icon Odisha.com

ଶୂଳିଆ ଯାତ୍ରା ଆରମ୍ଭ:ପ୍ରଶାସନର ବାରଣସତ୍ୱେ ପଶୁବଳି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ଜାନୁଆରୀ ୧୫(ଓଡିଶା ଡଟ୍ କମ୍)-ବଲାଙ୍ଗୀର ଜିଲ୍ଲାରେ ଆଜି ଠାରୁ ପ୍ରସିଦ୍ଧ ଶୂଳିଆ ଯାତ୍ରା ଆରମ୍ଭ । ସୁଲିଆ ପୀଠର ବଡଖଳା ଠାରେ ଦୀର୍ଘ ୭ ବର୍ଷପରେ ପୁଣି ଥରେ ପଶୁବଳି ପଡିଛି ।

ମଙ୍ଗଳବାର ସକାଳେ ଆଦିବାସୀମାନେ ପାରମ୍ପରିକ ବେଶ,ପୋଷାକ,ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବାଜା ବଜାଇ ଶୋଭାଯାତ୍ରାରେ ଆସି ସୁଲିଆ ପୀଠରେ ପହଞ୍ଚିଥିଲେ । ପ୍ରଥମେ ରୀତି,ନୀତି ଅନୁଯାୟୀ ପୂଜା କଲାପରେ ସକାଳେ ବଳି ପ୍ରଦାନ କରିଥିଲେ ।

ତାପରେ ପରେ ସେଠାରେ କ୍ରମାଗତ ଭାବରେ ଛେଳି,କୁକୁଡା,ପୋଡ,ବତକ ବଳି ଦିଆଯାଇଥିଲା । ବଡଖଳା ବ୍ୟତୀତ ସାନଖଳା ଓ ନୂଆଖଳାରେ ମଧ୍ୟ ବଳିପଡିଛି । ସଂସ୍କାରିତ ହୋଇ ବଳି ଠାରୁ ଦୂରେଇ ଯାଇଥିବା ସୁଲିଆ ପୀଠର ମୁଖ୍ୟ ପୂଜକ ବିରଞ୍ଚି କୁଆଁର ଚଳିତ ବର୍ଷ ନିଜ ସଂପ୍ରଦାୟର ଲୋକଙ୍କ ସହ ସାମିଲ ହୋଇ ନିଜେ ବଳିରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ବ୍ରଜ କିଶୋର ସିଂଭୋଇ ଓ ଆୟୋଜକ କମିଟିର ସଂପାଦକ ମଧୁ ପ୍ରଧାନ କହିଛନ୍ତି ଯେ,ପରମ୍ପରା ଅନୁଯାୟୀ ବଡ ଖଳାରେ ଆମେ ଗୋଟିଏ ବଳି ପ୍ରଦାନ କରିଛୁ ।

କିନ୍ତୁ ମାନସିକ କରିଥିବା ଭକ୍ତମାନେ ବଳିଦେଲେ ଆମେ କଣ କରିବୁ ? ଘଟଣାସ୍ଥଳରେ ଉପସ୍ଥିତ ଥିବା ବଲାଙ୍ଗୀର ଏସ୍ ପି ରମେଶ ପ୍ରକାଶ କହିଛନ୍ତି ଯେ,ଆଦିବାସୀଙ୍କ ପରମ୍ପରାରେ ହସ୍ତକ୍ଷେପ କରିବାକୁ ଆମେ ଚାହୁଁନାହୁଁ ।

କିନ୍ତୁ ବହୁ ସଂଖ୍ୟକ ଜୀବ ଜନ୍ତୁଙ୍କୁ ବଳି ନଦେବାପାଇଁ ହାଇକୋର୍ଟ ଆଦେଶ ଥିବାରୁ ଆମେ ତାକୁ ପାଳନ କରୁଛୁ । ବଡଖଳାରେ ବଳିଦେବାପାଇଁ ଆସିଥିବା ଲୋକମାନଙ୍କୁ ପୋଲିସ ପ୍ରତିରୋଧ କରିବାକୁ ଚେଷ୍ଟା କରିବାରୁ ସାମାନ୍ୟ ଉତେଜନା ଦେଖାଯାଇଥିଲା । ସଂପୃକ୍ତ ଖଳାମାନଙ୍କରେ ୧୪୪ଧାରା ଜାରି କରାଯାଇଥିଲେ ମଧ୍ୟ ଆଦିବାସୀମାନେ ତାକୁ ମାନିନଥିଲେ ।

ଓଡିଶା ଡଟ୍ କମ୍

 

Exit mobile version