Site icon Odisha.com

ଜଗତସିଂପୁର: ଆଇଓସିଏଲ୍ ପରିସ୍ଥିତିରେ ସୁଧାର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଜଗତସିଂପୁର, ଜାନୁଆରୀ,୨୦(ଓଡିଶା ଡଟ୍ କମ୍)-ଠିକାଦାରଙ୍କ ସନ୍ଦେହଜନକ ମୃତ୍ୟକୁ ନେଇ ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଶନିବାର ଦିନ ଯେଉଁ ଲଙ୍କାକାଣ୍ଡ ସୃଷ୍ଟି ହୋଇଥିଲା ଆଜି ପରିସ୍ଥିତିରେ ସୁଧାର ଆସିଛି । ମୃତ୍ୟୁ ଶ୍ରମିକ ପରିବାରକୁ ୬ ଲକ୍ଷ ୫୦ ହଜାର କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରାଯାଇଛି ।

ଜିଲ୍ଲା ପ୍ରଶାସନ ଓ ଶ୍ରମିକ ସଂଗଠନର ଆଲୋଚନାପରେ କିଛି ସର୍ତରେ ଧାରଣା ପ୍ରତ୍ୟାହାର ହୋଇଛି । କିନ୍ତୁ ଏହି ଘଟଣା ପାଇଁ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଦାମୋଦର ରାଉତ ।

ସେ କହିଛନ୍ତି ପ୍ରଶାସନର ଛତ୍ରଛାୟାତଳେ ରହି ତୈଳ ବିଶୋଧନାଗାରର କିଛି ଦୁର୍ନୀତିଗସ୍ତ ପଦାଧିକାରୀ,ଅପରାଧ ପ୍ରବଣ ବ୍ୟକ୍ତିବିଶେଷ ଓ ଯୁବଗୋଷ୍ଠି ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ।

କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଜଗତସିଂପୁର ଜିଲ୍ଲା ପାଳ ସତ୍ୟ କୁମାର ମଲ୍ଲିକ । ସେ କହିଛନ୍ତି ଏ ଘଟଣାପାଇଁ ଜଲ୍ଲା ପ୍ରଶାସନ ଦାୟୀନୁହେଁ । କୌଣସି ଘଟଣାବଳିକୁ ଜିଲ୍ଲା ପ୍ରଶାସନ ପ୍ରଶୟ ଦେବ ନାହିଁ କି ଦେଉ ନାହିଁ । ଯାହା ଘଟୁଛି କୌଣସି ଏକ ଘଟଣା ଚକ୍ରରେ ଘଟି ଯାଉଛି ।

କୁଜଙ୍ଗ ବ୍ଲକ ତ୍ରିଲୋଚନପୁର ଗାଁର ସଂଜୟ ପାଳ ଆଇଓସିଏଲ୍ ପ୍ରକଳ୍ପର ଆଇଓଟେପ୍ ଇନଫ୍ରା କମ୍ପାନୀରେ ଠିକାକାମ କରୁଥିଲେ । ରାତିରେ କାର୍ଯ୍ୟ ଚାଲୁଥିବାରୁ ସେ ଶୁକ୍ରବାର ରାତିରେ ଘରକୁ ନଫେରି କମ୍ପାନୀ ପରିସରରେ ରହିଯାଇଥିଲେ ।

ଶନିବାର ସକାଳେ ଶ୍ରମିକମାନେ କାମ କରିବାକୁ କମ୍ପାନୀ ଭିତରକୁ ଯିବାବେଳେ ସଞ୍ଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ୯ନଂ. ଟାଙ୍କି ସିଡିିରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ସଞ୍ଜୟଙ୍କ ମୃତ୍ୟୁ ଖବର ବିଦ୍ୟୁତ ବେଗର ପ୍ରଚାର ହୋଇଯାଇଥିଲା ।

ଖବରପାଇ ନିକଟସ୍ଥ ତ୍ରିଲୋଚନପୁର ଗାଁର ହଜାର ହଜାର ମହିଳା ଓ ପୁରୁଷ ଆଇଓସିଏଲ୍ ଫାଟକ ନିକଟରେ ପହଞ୍ଚିଥିଲେ । ଶ୍ରମିକମାନେ ମଧ୍ୟ ଫାଟକ ନିକଟରେ ଏକତ୍ର ହୋଇଥିଲେ । ଲୋକେ ସଞ୍ଜୟଙ୍କ ମୃତଦେହ ଦେଖିବାକୁ ଚାହିଁଥିଲେ ମଧ୍ୟ ସିଆଇଏସଏଫ ଯବାନ ସେମାନଙ୍କୁ କମ୍ପାନୀ ଭିତରକୁ ଛାଡିନଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକ ଓ ଶ୍ରମିକଙ୍କ ସହ ସିଆଇଏସଏଫ୍ ଯବାନଙ୍କ ପାଟିତୁଣ୍ଡ ହୋଇଥିଲା ।

ଉତ୍ୟକ୍ତ ଲୋକେ ୧ନମ୍ବର ଫାଟକ ନିକଟରେ ଧାରଣାରେ ବସି ପ୍ରକଳ୍ପ ଭିତରକୁ କାହାରିକୁ ଛାଡିନଥିଲେ । ଫାଟକ ନିକଟରୁ ଉଠାଇବା ପାଇଁ ସିଆଇଏସଏଫ୍ ଯବାନ ଲୋକଙ୍କୁ ଅନୁରୋଧ କରି ବିଫଳ ହେବାପରେ ଲାଠିମାଡ କରିଥିଲେ ।

ଜବାବରେ ଲୋକେ ମଧ୍ୟ ଢେଲାପଥର ମାଡ କରିଥିଲେ । ପରିସ୍ଥିତି ଅଧିକ ଜଟିଳ ହେବାରୁ ଯବାନ ମାନେ ୩ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ । ଗୁଳିଚାଳନା ଦେଖି ଲୋକମାନେ ଜୀବନ ବିକଳରେ କିଏ କୁଆଡେ ଦୌଡି ପଳାଉଥିବାବେଳେ ସିଆଇଏସଏଫ୍ ଯବାନ ଶ୍ରମିକଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ । ଏଥିରୁ ମହିଳା ବି ବାଦ ପଡିନଥିଲେ ।

ଲାଠି ମାଡରେ ତ୍ରିଲୋଚନପୁର ଗାଁର ରଥି ବେହେରା, ସୁଧୀର ପଣ୍ଡା, ଅମୂଲ୍ୟ ପଲାଇ, ଅମର ବେହେରା, ନରେଶ ବେହେରା, ଚାରୁ ବେହେରା, ନରି ପ୍ରଧାନ, ଅଧିର ଦାସ, ଅମିର ଦାସ, ରଂଜନ ନାୟକ, ବାବୁଲି ପଲାଇ, ରାଧୁ ଦାସ, ମାଧ ପାତ୍ର, ପ୍ରଶାନ୍ତ ବିଶ୍ୱାଳ, ଦିଲିପ ପାତ୍ର, ଚୁଟିଆ ଭୋଳ, ସୁଲୋଚନା ପ୍ରଧାନ, ଦମୟନ୍ତୀ ଦାସ, ଶକୁନ୍ତଳା ଚୈନୀ, ଭାରତୀ ବେହେରା, ସୁକାନ୍ତୀ ନାୟକ, କାଞ୍ଚନ ମହାନ୍ତି, ମଙ୍ଗରାଜପୁର ଗାଁର ପ୍ରମୋଦ ତରାଇ, ମାହାଳ ଗାଁର ରଂଜନ ଜେନା ପ୍ରମୁଖ ଆହତ ହୋଇଛନ୍ତି ।

ଆହତମାନେ କୁଜଙ୍ଗ, ଆଇଓସିଏଲ୍, ଅଠରବାଙ୍କି ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ବେଳେ ୫ ଜଣ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପ୍ରତିବାଦରେ ମା’ ବୈଦେହୀ ଶ୍ରମିକ ସଂଘ ପକ୍ଷରୁ ୧ନମ୍ବର ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି ।

ସଂଘର ନେତା ରାକେଶ ପଟ୍ଟନାୟକ ଓ ବାବୁରାମ ଚୌଧୁରୀଙ୍କ ନେତୃତ୍ୱରେ ହଜାରେରୁ ଅଧିକ ଶ୍ରମିକ ଓ ସ୍ଥାନୀୟ ଲୋକ ଧାରଣାରେ ବସି ମୃତ ଠିକାଦାରଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ, ତଦନ୍ତ ଦାବି କରିବା ସହ ଆଇଓସିଏଲ୍ ପ୍ରକଳ୍ପ ସୁରକ୍ଷା ଦାୟିତ୍ୱରୁ ସିଆଇଏସଏଫ୍କୁ ବରଖାସ୍ତ କରିବାକୁ ଦାବି କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version