Site icon Odisha.com

ଠିକାଦାରଙ୍କ ମୃତ୍ୟୁକୁ ନେଇ ଆଇଓସିଏଲରେ କାର୍ଯ୍ୟ ବନ୍ଦ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଜଗତସିଂପୁର, ଜାନୁଆରୀ ୨୦(ଓଡିଶା ଡଟ୍ କମ୍)-ଜଣେ ଠିକାଦାରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଶନିବାର ଦିନ ଲଙ୍କାକାଣ୍ଡ ଘଟିଛି  । ଘଟଣାକୁ ନେଇ ଆଇଓସିଏଲରେ କାର୍ଯ୍ୟ ବନ୍ଦ ହୋଇଯାଇଛି  ।

କୁଜଙ୍ଗ ବ୍ଲକ ତ୍ରିଲୋଚନପୁର ଗାଁର ସଂଜୟ ପାଳ ଆଇଓସିଏଲ୍ ପ୍ରକଳ୍ପର ଆଇଓଟେପ୍ ଇନଫ୍ରା କମ୍ପାନୀରେ ଠିକାକାମ କରୁଥିଲେ । ରାତିରେ କାର୍ଯ୍ୟ ଚାଲୁଥିବାରୁ ସେ ଗତକାଲି ରାତିରେ ଘରକୁ ନଫେରି କମ୍ପାନୀ ପରିସରରେ ରହିଯାଇଥିଲେ ।

ଶନିବାର ସକାଳେ ଶ୍ରମିକମାନେ କାମ କରିବାକୁ କମ୍ପାନୀ ଭିତରକୁ ଯିବାବେଳେ ସଞ୍ଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ୯ନଂ. ଟାଙ୍କି ସିଡିିରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ସଞ୍ଜୟଙ୍କ ମୃତ୍ୟୁ ଖବର ବିଦ୍ୟୁତ ବେଗର ପ୍ରଚାର ହୋଇଯାଇଥିଲା ।

ଖବରପାଇ ନିକଟସ୍ଥ ତ୍ରିଲୋଚନପୁର ଗାଁର ହଜାର ହଜାର ମହିଳା ଓ ପୁରୁଷ ଆଇଓସିଏଲ୍ ଫାଟକ ନିକଟରେ ପହଞ୍ଚିଥିଲେ । ଶ୍ରମିକମାନେ ମଧ୍ୟ ଫାଟକ ନିକଟରେ ଏକତ୍ର ହୋଇଥିଲେ ।

ଲୋକେ ସଞ୍ଜୟଙ୍କ ମୃତଦେହ ଦେଖିବାକୁ ଚାହିଁଥିଲେ ମଧ୍ୟ ସିଆଇଏସଏଫ ଯବାନ ସେମାନଙ୍କୁ କମ୍ପାନୀ ଭିତରକୁ ଛାଡିନଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକ ଓ ଶ୍ରମିକଙ୍କ ସହ ସିଆଇଏସଏଫ୍ ଯବାନଙ୍କ ପାଟିତୁଣ୍ଡ ହୋଇଥିଲା ।

ଉତ୍ୟକ୍ତ ଲୋକେ ୧ନମ୍ବର ଫାଟକ ନିକଟରେ ଧାରଣାରେ ବସି ପ୍ରକଳ୍ପ ଭିତରକୁ କାହାରିକୁ ଛାଡିନଥିଲେ । ଫାଟକ ନିକଟରୁ ଉଠାଇବା ପାଇଁ ସିଆଇଏସଏଫ୍ ଯବାନ ଲୋକଙ୍କୁ ଅନୁରୋଧ କରି ବିଫଳ ହେବାପରେ ଲାଠିମାଡ କରିଥିଲେ ।

ଜବାବରେ ଲୋକେ ମଧ୍ୟ ଢେଲାପଥର ମାଡ କରିଥିଲେ । ପରିସ୍ଥିତି ଅଧିକ ଜଟିଳ ହେବାରୁ ଯବାନ ମାନେ ୩ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ । ଗୁଳିଚାଳନା ଦେଖି ଲୋକମାନେ ଜୀବନ ବିକଳରେ କିଏ କୁଆଡେ ଦୌଡି ପଳାଉଥିବାବେଳେ ସିଆଇଏସଏଫ୍ ଯବାନ ଶ୍ରମିକଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ ।

ଏଥିରୁ ମହିଳା ବି ବାଦ ପଡିନଥିଲେ । ଲାଠିମାଡରେ ୨୫ରୁ ଅଧିକ ଶ୍ରମିକ ଓ ସ୍ଥାନୀୟ ଲୋକ ଆହତ ହୋଇଥିବାବେଳେ ଢେଲା ମାଡ଼ରେ ୫ଜଣ ସିଆଇଏସଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି ।

ଏହି ଘଟଣା ପ୍ରତିବାଦରେ ମା’ ବୈଦେହୀ ଶ୍ରମିକ ସଂଘ ସହ ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ଆଇଓସିଏଲ ସମ୍ମୁଖରେ ଧାରଣା ଚାଲିଛିି ।

ସଂଘର ନେତା ରାକେଶ ପଟ୍ଟନାୟକ ଓ ବାବୁରାମ ଚୌଧୁରୀଙ୍କ ନେତୃତ୍ୱରେ ହଜାରେରୁ ଅଧିକ ଶ୍ରମିକ ଓ ସ୍ଥାନୀୟ ଲୋକ ଧାରଣାରେ ବସି ମୃତ ଠିକାଦାରଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ, ତଦନ୍ତ ଦାବି କରିବା ସହ ଆଇଓସିଏଲ୍ ପ୍ରକଳ୍ପ ସୁରକ୍ଷା ଦାୟିତ୍ୱରୁ ସିଆଇଏସଏଫ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version