Site icon Odisha.com

ରାଜାରାଣୀ ଉତ୍ସବ: ଉଦ୍ଯାପନୀ ସଂଧ୍ୟାରେ ସଙ୍ଗୀତର ଯାଦୁକରୀ ମୁର୍ଚ୍ଛନା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୨୦(ଓଡିଶା ଡଟ୍କମ୍ )- ରାଜାରାଣୀ ସଙ୍ଗୀତ ଉତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟ। । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମକ୍ତାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା ମନୋମୁଗ୍ଧକର ପରିବେଶ ଏ ବର୍ଷ ରାଜାରାଣୀ ଉତ୍ସବକୁ ଅନନ୍ୟ କରିଥିଲା ।

ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ପ୍ରଶଂସନୀୟ ପ୍ରୟାସ ବାସ୍ତବିକ ଶାସ୍ତ୍ରୀୟ ସଙ୍ଗୀତ ପ୍ରେମୀମାନଙ୍କୁ ଖୁବ ଆନନ୍ଦ ଦେଇପାରିଥିଲା । ଅନ୍ତିମ ସନ୍ଧ୍ୟ।ର ପ୍ରଥମ କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତୀୟ ଖ୍ୟ।ତି ସମ୍ପନ୍ନ ଓଡ଼ିଶୀ କଣ୍ଠ ସଙ୍ଗୀତଶିଳ୍ପୀ ପ୍ରଫେସର ଗୁରୁ ରାମହରି ଦାସ ।

ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାବ ଉପରେ ସେ ସ୍ୱକୀୟ ହୃଦୟସ୍ପର୍ଶୀ କଣ୍ଠରେ ଉପସ୍ଥିତ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କର ପ୍ରଥମ ଅର୍ଘ୍ୟ ଥିଲା ରାଗାଙ୍ଗ ଶୈଳୀରେ ରାଗ ଶଙ୍କରାଭରଣ ଓ ତାଳ ଏକତାଳୀରେ କବି ଲୋକନାଥ ପଟ୍ଟନାୟକଙ୍କ ରଚିତ ପ୍ରବନ୍ଧ ‘କାରେ ଦେଖାଉ ତେଜରେ ଖଞ୍ଜନ ନୟନା’।

ପରେ ଏକତାଳୀ, ଖେମଟା, ତ୍ରିପଟା. ଆଡ଼ତାଳୀ ଏବଂ ପହପଟ୍ଟ ତାଳଗୁଡ଼ିକୁ ନେଇ ଶୁଦ୍ଧ ବସନ୍ତ ରାଗରେ ହରପ୍ରୀୟା ଦେବୀଙ୍କ ରଚିତ ପଂଚତାଳ ପ୍ରବନ୍ଧ ମିତ ବସନ୍ତ ଆସିଲାକୁ ଗାଇ ଓଡ଼ିଶୀ ସଙ୍ଗୀତର ସ୍ୱତନ୍ତ୍ରତା ପ୍ରତିପାଦନ କରିଥିଲେ ।

ଭାବାଙ୍ଗ ପର୍ଯ୍ୟ।ୟରେ ସେ ରାଗ କିରିବାଣୀ ଓ ତାଳ ଯତି ଉପରେ ନିବଦ୍ଧ କବି ବନମାଳୀଙ୍କ ରଚିତ ‘ମୋହନେ ଦେଲି ଚାହିଁ ଆଗୋ ପ୍ରିୟ ସହି’ ପରିବେଷଣ କରିଥିଲେ । ଏଥିରେ ତାଙ୍କର କଣ୍ଠରେ ଭାବ ଓ ରସର ଏକ ଚମକ୍ତାର ଛନ୍ଦକୁ ଶ୍ରୋତାମାନେ ଅନୁଭବ କରିଥିଲେ ।

ଓଡ଼ିଶୀ ନାଟ୍ୟ।ଙ୍ଗରେ ରାଗ ଖମାଜ ଓ ଏକତାଳୀ ଉପରେ ଆଧାରିତ କବି ଗୋପାଳକୃଷ୍ଣଙ୍କ ରଚିତ ଅତି ଲୋକପ୍ରିୟ ପ୍ରବନ୍ଧ ‘ସଙ୍ଗିନୀରେ ରସ ରଙ୍ଗିନୀରେ’କୁ ଭେଟିଦେଇଥିଲେ ରସଗ୍ରାହୀ ଶ୍ରୋତାମାନଙ୍କୁ । କବି ଜୟଦେବଙ୍କ ଗୀତଗୋବିନ୍ଦର ଅଷ୍ଟପଦୀ ସଖୀ କେଶି ମଥନ ମୁଦାରମ ଗୁରୁ ରାମହରିଙ୍କ କଣ୍ଠରେ ଏକ ଅପୂର୍ବ ଅନୁଭୁତି ଆଣିଦେଇଥିଲା ବିଦଗ୍ଧ ଶ୍ରୋତାମାନଙ୍କ ମଧ୍ୟରେ ।

ଏହା ରାଗ ଶୁଦ୍ଧଦେଶୀ ଏବଂ ତାଳ ଏକତାଳୀରେ ନିବଦ୍ଧ ଥିଲା । ଓଡ଼ିଶୀ ସଙ୍ଗୀତ ପର୍ଯ୍ୟ।ୟରେ ଶେଷରେ ସେ ବିଶ୍ୱନାଥ ଖୁଂଟଙ୍କ ରଚିତ ବିଚିତ୍ର ରାମାୟଣରୁ ଛାନ୍ଦ ‘ଆହା ଧନୁର୍ଦ୍ଧର ବୀରବର ଅଧ୍ରୁବା ପାଂଚାଳୀ’ ପ୍ରବନ୍ଧକୁ ବିନା ସହଯୋଗୀ ବାଦ୍ୟଯନ୍ତ୍ର ସାହାଯ୍ୟ ରେ ଯେଉଁଭଳି ଭାବାଙ୍ଗ କଣ୍ଠରେ ପରିବେଷଣ କରିଥିଲେ ତାହା ତାଙ୍କର ସାଧନା ଓ ଓଡ଼ିଶୀ ସଙ୍ଗୀତର ଅସ୍ମିତାର ବିଶେଷ ପରିଚୟ ଦେଉଥିଲା ।

ତାଙ୍କର ସମସ୍ତ ପରିବେଷଣ କେବଳ ବୌଦ୍ଧିକ ଜ୍ଞାନର ପରିପୂର୍ଣ୍ଣତାରେ ପ୍ରକଶିତ ନଥିଲା, ତାହା ମଧ୍ୟ ଓଡ଼ିଶୀ ସଙ୍ଗୀତର ସ୍ୱତନ୍ତ୍ରତାକୁ ପରିସ୍ଫୁଟନ କରୁଥିଲା ଯାହାକୁ ଓଡ଼ିଶୀ ସଙ୍ଗୀତ ପ୍ରେମୀ ଦର୍ଶକମାନେ ଅତି ଆନନ୍ଦରେ ଉପଭୋଗ କରୁଥିଲେ । ତାଙ୍କ ସହିତ ମର୍ଦ୍ଧଳରେ ସହଯୋଗ କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ, ବେହେଲାରେ ସୁରମଣି ରମେଶ ଚନ୍ଦ୍ର ଦାସ, ହାରମୋନିୟମରେ ଅଜୟ ଦାଶ ଓ ତାନପୁରାରେ ହିମାଂଶୁ ଶେଖର ସ୍ୱାଇଁ ।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କର୍ଣ୍ଣାଟକୀ ବେହେଲା ବାଦକ ଡ଼. ଏଲ. ସୁବ୍ରମନ୍ୟୟମ ଓ କର୍ଣ୍ଣାଟକୀ ସଙ୍ଗୀତ ବିଶାରଦା କବିତା କ୍ରୀର୍ଷ୍ଣମୂର୍ତୀ ସୁବ୍ରମନ୍ୟୟମ । ପ୍ରଥମେ ସେମାନେ ଭଜନରେ ଶ୍ରୀରାମ ଚନ୍ଦ୍ର କୃପାଳୁ ଭଜମନ ଏବଂ ପରେ ଶିବଙ୍କ ଉପରେ ଶିବସ୍ତୁତି ସହିତ ଦୁଇଟି ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ ।

ଶେଷରେ ବେହେଲାରେ ଡ଼. ସୁବ୍ରମନ୍ୟୟମ ଅନ୍ୟ।ନ୍ୟ ଯନ୍ତ୍ର ସଙ୍ଗୀତ ସହିତ ବିଭିନ୍ନ ଧୁନ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । କବିତାଙ୍କ ସୁଲଳିତ କଣ୍ଠ ସ୍ୱର ଏବଂ ଡ଼.ସୁବ୍ରମନ୍ୟୟମଙ୍କର ଅପୁର୍ବ ବେହେଲା ବାଦନ ଶ୍ରୋତାମାନଙ୍କୁ ଶେଷପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଏହି ସଙ୍ଗୀତ ଉତ୍ସବକୁ ଅନ୍ତିମ ଦିବସ ଶେଷ ଶୁଦ୍ଧା ୬୬୩୨ ଜଣ ଦେଶୀୟ ଓ ୯୬ ଜଣ ବିଦେଶୀ ଦର୍ଶକ ଉପଭୋଗ କରିଥିଲେ ।

ଶେଷ ସନ୍ଧ୍ୟ।ର ଅତିଥିମାନେ ଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ସୂଚନା ଅଧିକାର ଆୟୋଗର ମୂଖ୍ୟ ସୂଚନା ଅଧିକାରୀ ଶ୍ରୀ ତରୁଣକାନ୍ତି ମିଶ୍ର; ଉନ୍ନୟନ କମିଶନର ତଥା ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଯୁଗଳ କିଶୋର ମହାପାତ୍ର ଏବଂ ସଂସ୍କୃତି ନିର୍ଦେଶକ ଶ୍ରୀଯୁକ୍ତ ସୁଶିଲ କୁମାର ଦାସ ।

ଏହି ସଙ୍ଗୀତ କାର୍ଯ୍ୟ କ୍ରମର ବିଷୟବସ୍ତୁକୁ ନିଜ ତୁଳିରେ କାନଭାସ ଉପରେ ଆଙ୍କୁଥିଲେ ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ବଳଦେବ ମହାରଥା । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀମତୀ ସାଧନା ଶ୍ରୀବାସ୍ତବ ଏବଂ ଇଂ.ଶ୍ରୀନିବାସ ଘଟୁଆରୀ ।

ଓଡିଶା ଡଟ୍ କମ୍

Exit mobile version