Site icon Odisha.com

ଗ୍ରାମ ସଭା ଦ୍ୱାରାପ୍ରସ୍ତାବିତ ପ୍ରକଳ୍ପ ବାହାରେ କାର୍ଯ୍ୟ ଗ୍ରହଣ କରାଯିବ ନାହିଁ : ମନ୍ତ୍ରୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୨(ଓଡିଶା ଡଟ୍ କମ୍)- ଗ୍ରାମସଭାର ନିଷ୍ପତି ଚୂଡ଼ାନ୍ତ । କୌଣସି ପରିସ୍ଥିତିରେ ଗ୍ରାମ ସଭା ଦଦ୍ୱାରାପ୍ରସ୍ତାବିତ ପ୍ରକଳ୍ପ ବାହାରେ କାର୍ଯ୍ୟ ଗ୍ରହଣ କରାଯିବ ନାହିଁ ବୋଲି ପଞ୍ଚାୟତିରାଜ ବିଭାଗର ନୂଆ ନିୟମାବଳୀ ତିଆରି ହୋଇଛି ।

ସାଂସଦ, ବିଧାୟକ ଚାହିଁଲେ ବି ଗ୍ରାମ ସଭାରୁ ଆସିଥିବା ପ୍ରକଳ୍ପ ତାଲିକାରେ ପରିବର୍ତନ ହେବ ନାହିଁ । ଏକ୍ଷେତ୍ରରେ ଯଦି ଅନ୍ୟ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଆବଶ୍ୟକ ହୁଏ ତେବେ ସେଥିପାଇଁ ପଞ୍ଚାୟତିରାଜ ବିଭାଗର ଅନୁମୋଦନ ନେବାକୁ ପଡ଼ିବ ।

ପଞ୍ଚାୟତିରାଜ ମନ୍ତ୍ରୀ କଳ୍ପତରୁ ଦାସ କହିଛନ୍ତି ଯେ ପୂର୍ବରୁ ଯେକୌଣସି ସ୍ଥିରିକୃତ ପ୍ରକଳ୍ପ ନିମନ୍ତେ କାର୍ଯ୍ୟାଦେଶ ଦେବାକୁ ମାସ ମାସ ସମୟ ଲାଗୁଥିଲା । ଏଥିରେ ପରିବର୍ତନ ଆଣିବା ପାଇଁ ୨୦୧୩-୧୪ ଆର୍ଥିକ ବର୍ଷର ପ୍ରକଳ୍ପ ପାଇଁ ଏପ୍ରିଲ ୧୯ ତାରିଖ ସୁଦ୍ଧା ତାଲିକା ପ୍ରସ୍ତୁତ କରାଯିବ ।

ଏପ୍ରିଲ ମାସ ୨୦ ତାରିଖରୁ ମଇ ମାସ ୨୦ ତାରିଖ ମଧ୍ୟରେ କାର୍ଯ୍ୟାଦେଶ ଦେବାକୁ ନିର୍ଦେଶ ଦିଆଯାଇଛି । ଆକ୍ସନ ପ୍ଲାନଗୁଡ଼ିକ ବିଭିନ୍ନସ୍ତରରେ ଅନୁମୋଦନ କରି ଏପ୍ରିଲ ୨୫ ତାରିଖ ସୁଦ୍ଧା ସଂପୃକ୍ତ ଅଧିକାରୀଙ୍କ ନିକଟକୁ ପଠାଯିବା ବ୍ୟବସ୍ଥା ରହିଛି ।

ଏସଂକ୍ରାନ୍ତ ବ୍ୟୟ ଅଟ୍ଟକଳ, ବୈଷୟିକ ମଞ୍ଜୁରୀ ଏବଂ ଗ୍ରାମଶ୍ରମିକ ନେତା ନିଯୁକ୍ତି କାର୍ଯ୍ୟ ଏପ୍ରିଲ ୧୯ ତାରିଖ ସୁଦ୍ଧା ଶେଷ ହେବ । ୨୦୧୨-୧୩ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ଯୋଜନାରେ ଦିଆଯାଇଥିବା ଅର୍ଥରୁ କିଛି ବଳକା ରହିଛି ।

ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ଗୃହିତ ହେବା ପରେ ୨୦୧୨-୧୩ର କାର୍ଯ୍ୟାଦେଶ ମେଳା ମାଧ୍ୟମରେ ଦିଆଯିବ । ମେ ମାସ ୨୧ ସୁଦ୍ଧା ତାରିଖ ସୁଦ୍ଧା ଇନ୍ଦିରା ଆବାସ ଓ ମୋ କୁଡ଼ିଆ ପାଇଁ କାର୍ଯ୍ୟାଦେଶ ଦିଆଯିବ ।

ସମୟସୀମା ମଧ୍ୟରେ ପ୍ରକଳ୍ପକୁ ବୈଷୟିକ ମଞ୍ଜୁରୀ ନମିଳିଲେ ତାକୁ ମଞ୍ଜୁରୀ ପ୍ରାପ୍ତ ବୋଲି ଧରିନିଆଯିବ । ସିମେଂଟ କଂକ୍ରିଟ ରୋଡ଼ ତାଲିକା ଚୂଡ଼ାନ୍ତ ବେଳେ ବିଡିଓ, ସରପଂଚ, ସମିତି ସଭ୍ୟ ଜିଲା ପରିଷଦ ସଦସ୍ୟ ଏବଂ ସାଂସଦ ଓ ବିଧାୟକଙ୍କ ପ୍ରତିନିଧି ଉପସ୍ଥିତ ରହିବେ ।

ବିଭାଗୀୟ ସଚିବ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ, ବିଡିଓମାନଙ୍କୁ ବ୍ଲକ ହେଡକ୍ୱାର୍ଟରରେ ରହିବାକୁ ନିର୍ଦେଶ ଦିଆଯାଇଛି । ଜିଲାପାଳମାନେ ଏସମ୍ପର୍କରେ ରିପୋର୍ଟ ଦେବେ । ଆବଶ୍ୟକ ପଡ଼ିଲେ ହେଡକ୍ୱାର୍ଟରରେ ରହୁନଥିବା ବିଡିଓମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ଦରମା ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି ।

ଓଡିଶା ଡଟ୍ କମ୍

Exit mobile version