Site icon Odisha.com

ଠିକାଦାର ଅପହରଣ ଘଟଣାରେ ୬ ଗିରଫ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଣିହାଁ, ଜାନୁଆରୀ ୨୪(ଓଡିଶା ଡଟ୍ କମ୍)- ଏନଟିପିସି କଣିହାଁରେ ଆସପଣ୍ଡ କାର୍ଯ୍ୟର ଟେଣ୍ଡରପେପର ପକାଇବାକୁ କେନ୍ଦ୍ରକରି ସ୍ଥାନୀୟ କେତେକ ସ୍ୱତନ୍ତ୍ର ଶ୍ରେଣୀ ଠିକାଦାରଙ୍କ ଗୁଣ୍ଡାମାନେ ଗତ ସୋମବାର ଜଣେ ଠିକାଦାରଙ୍କୁ ଅପହରଣ କରି ନେଇଥିଲେ ।

ଏହି ଦୃଶ୍ୟ ଦେଖି କମ୍ପାନୀର ଫାଟକ ସୁରକ୍ଷା ପାଇଁ ନିୟୋଜିତ ଥିବା ସିଆଇଏସଏଫ ଜବାନମାନେ ଗୁଣ୍ଡା ଓ ଗାଡିକୁ ଜବତ କରି ଥାନାକୁ ଖବର ଦେଇଥିଲେ ।

ଆଇଆଇସି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୬ ଜଣ ଗୁଣ୍ଡାଙ୍କ ସହ ତିନୋଟି ବନ୍ଧୁକ ଓ ମାଗାଜିନ ସହ ଉପରୋକ୍ତ ଗାଡି ତିନୋଟିକୁ ଜବତ କରିଥିଲେ ।

ଗିରଫମାନେ ହେଲେ ପ୍ରଫୁଲ୍ଲ ନାଏକ, ରାଜେଶ ରାଉତ, ଶୁଭେନ୍ଦ୍ର ପରିଡା, ଅମୂଲ୍ୟ ପରିଡା, ସାଗର ସ୍ୱାଇଁ, ପ୍ରଫୁଲ୍ଲ ନାଏକ ବୋଲି ଜଣାପଡିଛି । ସେମାନେ ସମସ୍ତେ ଢେଙ୍କାନାଳ ସଦର ଥାନା, ବଅଁରପାଳ ଥାନା, ବାରଙ୍ଗ ଥାନା ଓ କଟକ ସଦର ଅଞ୍ଚଳର ବୋଲି ଜଣାପଡିଛି ।

କଣିହାଁ ଆଇଆଇସି ମମତା ଜେନାଙ୍କର ସୂଚନା ମୁତାବକ ସୋମବାର ଘଟଣାରେ କେତେକ ସ୍ଥାନୀୟ ଠିକାଦାର ବାହାର ଠିକାଦାରଙ୍କୁ ଟେଣ୍ଡର ପେପର ପକାଇ ନଦେବା ଲାଗି ଯୋଜନା କରିଥିଲେ ।

ଟେଣ୍ଡର ପେପର ପକାଇବାକୁ ଆନ୍ଧ୍ରପ୍ରଦେଶ ୱେଷ୍ଟ ଗୋଦାବରୀର ମେସର୍ସ ଭେଙ୍କଟରାଜୁ କମ୍ପାନୀର ସି.ଭେଙ୍କଟରମଣ ନାମକ ଠିକାଦାର ସେଦିନ ଏନଟିପିସିକୁ ଆସି କଂଟ୍ରାକ୍ଟ ସେକ୍ସନ ଏଜିଏମ ପିସି ଦାସଙ୍କ କାର୍ଯ୍ୟାଳୟରେ ପେପର ପକାଇଥିଲେ । ସ୍ଥାନୀୟ ଠିକାଦାରଙ୍କ ଯୋଜନା ଅନୁସାରେ ୬ ଜଣ ଭଡାଟିଆ ଗୁଣ୍ଡା ଦୁଇଟି ବୋଲେରୋ (ଓଆର୧୯ଏନ-୪୨୧୭, ଓଆର୧୯ଏନ୮୦୪୪) ଓ ଗୋଟିଏ ଇଣ୍ଡିଗୋ (ଓଆର୧୯ଏନ୩୯୦୩) ରେ ବନ୍ଧୁକ ଧରି ଏନଟିପିସି ମୁଖ୍ୟ ଫାଟକ ସମ୍ମୁଖରେ ଛକି ରହିଥିଲେ ।

ଠିକାଦାର ଭେଙ୍କଟରମଣ ଟେଣ୍ଡର ପକାଇ କାର୍ଯ୍ୟାଳୟରୁ ବାହାରକୁ ଆସୁଥିବା ବେଳେ ପ୍ରସ୍ତୁତ ଗୁଣ୍ଡାମାନେ ତାଙ୍କୁ ବନ୍ଧୁକ ଦେଖାଇ ଟଣାଓଟରା କରି ଗାଡିରେ ନେଇଯିବାକୁ ବଳପ୍ରୟୋଗ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version