Site icon Odisha.com

ଖଣି କ୍ଷେତ୍ରରେ ବୈଷୟିକ ସହାୟତା ପ୍ରଦାନ କରିବ ବିଶ୍ୱବ୍ୟାଙ୍କ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୩୧(ଓଡିଶା ଡଟ୍ କମ୍ )-ରାଜ୍ୟରେ ଖଣି ପରିଚାଳନା କ୍ଷେତ୍ରରେ ବିଶ୍ୱବ୍ୟାଙ୍କ ରାଜ୍ୟ ସରକାରଙ୍କୁ ବୈଷୟିକ ସହାୟତା ପ୍ରଦାନ କରିବ । ଆସନ୍ତା ୧୫ ଦିନ ମଧ୍ୟରେ ବିଶ୍ୱବ୍ୟାଙ୍କ ପକ୍ଷରୁ ଏଥିନେଇ ଏକ ପ୍ରକଳ୍ପ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ।

ବିଶ୍ୱବ୍ୟାଙ୍କର ୪ଜଣିଆ ପ୍ରତିନିଧି ଦଳ ସଂପ୍ରତି ଓଡିଶା ଗସ୍ତରେ ଆସି କେନ୍ଦୁଝର,ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର ବିଭିନ୍ନ ଖଣିଅଂଚଳ ପରିଦର୍ଶନ କରିଥିଲେ । ପରେ ଆଜି ସେମାନେ ସଚିବାଳୟଠାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନ ଯୁଗଳ କିଶୋର ମହାପାତ୍ରଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ।

ବୈଠକରେ ଖଣି ବିଭାଗର ପ୍ରମୁଖ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ବୈଠକ ପରେ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି ଏ ସଂପର୍କରେ ସୂଚନା ଦେଇ କହିଲେ ଯେ,ଖଣିଜ ରିହାତି ଚୁକ୍ତିନାମା,ଖଣି ଲିଜ ପ୍ରଦାନ,ଖଣି କ୍ଷେତ୍ରର ସାମାଜିକ ଓ ପରିବେଶଗତ ପ୍ରଭାବ ସଂପର୍କରେ ଆକଳନ,ଖଣି ରାଜସ୍ୱ ଆଦାୟ,ଖଣି ଅଂଚଳର ବିକାଶ ଆଦି କ୍ଷେତ୍ରରେ ଏହି ସହାୟତା ଗ୍ରହଣ କରାଯିବ ।

ଓଡିଶା ଡଟ୍ କମ୍

Exit mobile version