Site icon Odisha.com

ଏପ୍ରିଲରୁ ବିଦ୍ୟୁତ ଶୁଳ୍କ ୧୨ ପ୍ରତିଶତ ବଢିବ !

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୧(ଓଡିଶା ଡଟ୍ କମ୍)-ଆସନ୍ତା ଏପ୍ରିଲରୁ ପୁଣି ବିଦ୍ୟୁତ ଶୁଳ୍କ ବଢିବାର ସମ୍ଭାବନା ରହିଛି । ଏଥର ବିଦ୍ୟୁତ ଶୁଳ୍କ ୧୨ ପ୍ରତିଶତ ବଢାଇବାକୁ ବିଭିନ୍ନ ବିଦ୍ୟୁତ ବିତରଣକାରୀ କଂପାନୀ ଦାବିକରି ଓଡିଶା ବିଦ୍ୟୁତ ନିୟମାକ ଆୟୋଗଙ୍କ ନିକଟରେ ଆବେଦନ କରିଛନ୍ତି ।

ଆଜି ପ୍ରଥମ ଦିନରେ ଗ୍ରୀଡକୋ, ୱେସକୋ ଓ ସାଉଥକୋ କଂପାନୀ ନିଜ ନିଜ ପକ୍ଷ ରଖିଛନ୍ତି । ଗ୍ରୀଡକୋ କହିଛି ଗତ ବର୍ଷ ଅଧିକ ଦରରେ ବିଜୁଳି କିଣି କମ୍ ଦରରେ ବିକ୍ରୀ କରି ବିତରକ କଂପାନୀ ଗୁଡିକ ୨୪୩୪ କୋଟି ଟଙ୍କାର କ୍ଷତି ସହିଛନ୍ତି ।

ବର୍ତମାନ ଦରରେ ବିଜୁଳୀ ଯୋଗାଇବା ସମ୍ଭବ ହୋଇନଥିବାରୁ ୧୨ରୁ ୧୪ ପ୍ରତିଶତ ବିଜୁଳି ଦର ବୃଦ୍ଧି ପାଇଁ କମ୍ପାନୀ ଦାବୀ କରିଛି ।

ମାତ୍ର ଏହାକୁ ଉପଭୋକ୍ତା ମହାସଂଘ ତୀବ୍ର ବିରୋଧ କରିଛି । ବିଦ୍ୟୁତ ଶ୍ରମିକ ସଂଘର ଶ୍ରମିକ ନେତା ରମେଶ ଶତପଥୀ କହିଛନ୍ତି ଓଡିଶାର ଜଳ ବିଦ୍ୟୁତ ସଂସ୍ଥା ଯେତିକି ଅଛି ତାକୁ ଯଦି ଠିକ୍ ଭାବରେ ବ୍ୟବହାର କରାଯାଏ ତାହାହେଲେ ଦର ବଢିବା ଅପେକ୍ଷା କମିବ ।

ସମ୍ବଲପୁର ବିଦ୍ୟୁତ ଉପଭୋକ୍ତା ମହାସଂଘର ଆବାହକ ମଧ୍ୟ ବିରୋଧ କରିଛନ୍ତି । ଆଜିଠାରୁ ଓଇଆରସି ତାଙ୍କର ଶୁଣାଣି ଆରମ୍ଭ କରିଛନ୍ତି । ଏହି ଶୁଣାଣି ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ଙ୍କ ନିକଟରେ ବିଦ୍ୟୁତ ଦର ବୃଦ୍ଧି କରିବା ଲାଗି ରାଜ୍ୟ ସରକାରଙ୍କ ଚାରିଟି ବିତରକ କମ୍ପାନି ୱେସ୍କୋ, ନେସ୍କୋ, ସାଉଥକୋ ଓ ସେସୁକୁ ଛାଡ଼ି ଦେଲେ ଅନ୍ୟ ଆବେଦନକାରୀ ମଧ୍ୟରେ ଅଛନ୍ତି ଓଏଚପିସି, ଗ୍ରୀଡକୋ, ଓପିଟିସିଏଲ, ଏସଏଲଡିସି ।

ଏହି ଆବେଦନକାରୀଙ୍କଠାରୁ ଆୟୋଗ ଶୁଣାଣି କରିବା ଲାଗି ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ କରିଛନ୍ତି । ଆଠଟିି ପର୍ଯ୍ୟାୟରେ ପ୍ରତ୍ୟେକ ପକ୍ଷଙ୍କଠାରୁ ବିଦ୍ୟୁତ ଶୁଳ୍କ ନେଇ ଅଭିଯୋଗକୁ ଆୟୋଗ ଶୁଣିବେ ।

ଏହି ସଂସ୍ଥାଗୁଡ଼ିକର ଆବେଦନକୁ ସମୀକ୍ଷା କଲେ ଜଣାଯାଏ ସେମାନେ ବିଦ୍ୟୁତ ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି । ବିଦ୍ୟୁତ ଶୁଳ୍କ ବୃଦ୍ଧି ହେଲେ ରାଜ୍ୟର ୪୩ ଲକ୍ଷ ଗ୍ରାହକ ଏହାଦଦ୍ୱାରାପ୍ରଭାବିତ ହେବେ ।

ରାଜ୍ୟ ସରକାର ୧୯୯୯ ମସିହାଠାରୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ପରିବର୍ତନ ଜନିତ କ୍ଷତି ଓ ଚୋରିକୁ ରୋକିବା କ୍ଷେତ୍ରରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏଥିଯୋଗୁଁ ଯେଉଁ କ୍ଷତି ଘଟୁଛି ତାକୁ ଭରଣା ଲାଗି ସାଧାରଣ ଗ୍ରାହକଙ୍କ ଉପରେ ଶୁଳ୍କ ଭାର ଲଦି ଦିଆଯାଉଛି ।

ପ୍ରତି ବର୍ଷ ସରକାରଙ୍କର କ୍ଷତି ବଢ଼ିବଢ଼ି ଚାଲିଥିବା ବେଳେ ବିଦ୍ୟୁତ ଶୁଳ୍କ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ବିଦ୍ୟୁତ ଶୁଳ୍କ ପ୍ରାୟ ଦୁଇ ଗୁଣା ବୃଦ୍ଧି ପାଇଥିଲା । ପୁଣି ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ଦେଖାଦେଇଛି ।

ଓଡିଶା ଡଟ୍ କମ୍

Exit mobile version