Site icon Odisha.com

ମାଲକାନଗିରିର ୭ଟି ବ୍ଲକ ପୁନର୍ଗଠିତ

ଓଡିଶା ଡଟ୍କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୧(ଓଡିଶା ଡଟ୍ କମ୍)- ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାର ୭ଟି ବ୍ଲକକୁ ପୁନର୍ଗଠିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ ହେଲାପରେ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଏ ସଂପର୍କରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ମାଲକାନଗିରି ଜିଲ୍ଲାରେ ବହୁ ବିଛିନ୍ନାଞ୍ଚଳ ରହିଛି । ବ୍ଲକ ମୁଖ୍ୟାଳୟକୁ ଆସିବା ପାଇଁ ଲୋକଙ୍କୁ ଆନ୍ଦ୍ରପ୍ରଦେଶ ଯିବାକୁ ପଡୁଛି । ଗୋଟିଏ ଗୋଟିଏ ବ୍ଲକକୁ ଆସିବା ନିମନ୍ତେ ୨/୩ ଦିନ ସମୟ ଲାଗୁଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ପୁନର୍ଗଠନ କରିଛନ୍ତି ।

କୁଡୁମୁଲୁଗୁମା ବ୍ଲକ ପୁନର୍ଗଠନରେ ଚିତ୍ରକୋଣ୍ଡା ବ୍ଲକ ସୃଷ୍ଟି କରାଯାଇଛି । ଫଳରେ ବିଶେଷ ଅସୁବିଧା ଭୋଗୁଥିବା କୁଡୁମ୍ଲୁଗୁମା ବ୍ଲକର ୬ଟି ପଞ୍ଚାୟତର ଲୋକେ ଏଣିକି ଚିତ୍ରକୋଣ୍ଡାକୁ ଶୀଘ୍ର ଆସିପାରିବେ ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,ମାଲକାନଗିରି ବ୍ଲକରେ ବର୍ତମାନ ୧୩ଟି ଗ୍ରାମ ପଞ୍ଚାୟତ ରହିଥିବାବେଳେ ପୁନର୍ଗଠନରେ ୧୯ଟି ଗ୍ରାମ ପଞ୍ଚାୟତ ରହିବ । ପଡିଆ ବ୍ଲକରେ ୧୦ଟି ପଞ୍ଚାୟତ ରହିଥିବାବେଳେ ୮ଟି ପଞ୍ଚାୟତ ରହିବ ।

ଖଇରପୁର ବ୍ଲକରେ ୯ଟି ପଞ୍ଚାୟତ ବଦଳରେ ୧୧ଟି ପଞ୍ଚାୟତ ରହିବାବେଳେ କୋରକୁଣ୍ଡା ବ୍ଲକରେ ୨୪ ପଞ୍ଚାୟତ ବଦଳରେ ୧୨ଟି ପଞ୍ଚାୟତ ରହିବ ।

ସେହିପରି କାଲିମେଳା ବ୍ଲକରେ ୨୧ଟି ପଞ୍ଚାୟତ ବଦଳରେ ୨୩ ପଞ୍ଚାୟତ ରହିଥିବାବେଳେ ମାଥିଲି ବ୍ଲକରେ ଯେଉଁ ୨୦ଟି ପଞ୍ଚାୟତ ରହିଛି ସେତିକି ପଞ୍ଚାୟତ ରହିବ । ତେବେ ୧୧ଟି ପଞ୍ଚାୟତ କୁ ନେଇ ଗଠିତ କୁଡୁମୁଲୁଗୁମା ବ୍ଲକ ପୁନର୍ଗଠନରେ ୧୫ଟି ପଞ୍ଚାୟତ ରହିବ ।

ଏହି ବ୍ଲକର ନାମ କୁଡୁମୁଲୁଗୁମା ପରିବର୍ତେ ଚିତ୍ରକୋଣ୍ଡା ହେବ । ବ୍ଲକ ମୁଖ୍ୟାଳୟ ଚିତ୍ରକୋଣ୍ଡା ହିଁ ରହିବ ବୋଲି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ ହୋଇଛି ।

ଓଡିଶା ଡଟ୍ କମ୍

Exit mobile version