Site icon Odisha.com

ଦେଢବର୍ଷପରେ ପୋସ୍କୋ ପାଇଁ ପୁଣି ଜମି ଅଧିଗ୍ରହଣ ଆରମ୍ଭ

ଓଡ଼ିଶା ଡ଼ଟ୍ କମ୍: ଅମରନାଥ ପରିଡା

ଜଗତସିଂପୁର,ଫେବୃଆରି ୩ (ଓଡିଶା ଡଟ୍ କମ୍)- ଦେଢବର୍ଷପରେ ପୁଣି ପୋସ୍କୋ ପାଇଁ ଜମି ଅଧିଗ୍ରହଣ ଆରମ୍ଭ । ବିରୋଧୀଙ୍କ ଗଡ ଗୋବିନ୍ଦପୁରୁରେ ପାନବରଜ ଭାଙ୍ଗି ପ୍ରାପ୍ୟ ଦେଇଛନ୍ତି ପ୍ରଶାସନ । ଏ ଘଟଣା ନେଇ ବିରୋଧୀ ଓ ପୋଲିସ ମୁହାଁମୁହିଁ ହେବା ଯୋଗୁଁ ଉତେଜନା ସୃଷ୍ଟି ହୋଇଥିଲା ।

ରବିବାର ଦିନ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ଓ ପୋଲିସ ପୁରା ପ୍ରସ୍ତୁତ ହୋଇ ଆସିଥିଲେ । ଦୀର୍ଘ ଦୁଇ ସପ୍ତାହର ପ୍ରସ୍ତୁତିପରେ ଜଗତସିଂପୁର ଜିଲ୍ଲାପାଳ,ଏସ୍ପି,ଇଡ୍କୋର ଅଧିକାରୀ ୧୨ ପ୍ଲାଟୁନ ପୋଲିସ ଫୋର୍ସ ଧରି ପ୍ରସ୍ତାବିତ ପୋସ୍କୋ ଅଞ୍ଚଳ ଢିଙ୍କିଆ ପଞ୍ଚାୟତର ଗୋବିନ୍ଦପୁର ମୌଜା ଭିତରେ ପୋଲିସ ପ୍ରବେଶ କରିଛି । କେବଳ ପ୍ରବେଶ କରିନାହାଁନ୍ତି ପାନବରଜ ଭଙ୍ଗାକାର୍ଯ୍ୟ ମଧ୍ୟ ଆରମ୍ଭ କରି ଦେଇଛନ୍ତି ।

ରବିବାର ପ୍ରଥମ ଦିନରେ ବଡପଡା, ବାଲିଟିକିରି ଓ ଗୋବିନ୍ଦପୁର ସୀମାରେ ପାନ ବରଜ ଭଙ୍ଗାଯାଇଛି । ଜଗତସିଂପୁର ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ କହିଛନ୍ତି ଯେଉଁ ଲୋକମାନେ ପାନ ବରଜ ଭାଙ୍ଗି ପ୍ରାପ୍ୟ ନେବାକୁ ସମ୍ମତି ଦେଇଥିଲେ ସେମାନଙ୍କର ବରଜ ଭଙ୍ଗାଯାଇ ଜମି ଅଧିଗ୍ରହଣ ହୋଇଛି ।

ଏହାକୁ ବିରୋଧ କରିଛନ୍ତି ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି । ଫଳରେ ବିରୋଧୀ ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୧୨ଜଣ ଆହତ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି ।

ପୋସ୍କୋ ବିରିଧୀମାନେ ଗୋବିନ୍ଦପୁର ସୀମାରେ ଧାରଣାରେ ବସିରହିଛନ୍ତି । ଏମାନଙ୍କ ସହିତ ସାମିଲ ହୋଇଛନ୍ତି ଜଗତସିଂପୁର ସାଂସଦ ମଧ୍ୟ ସାମିଲ ହୋଇଛନ୍ତି । କଂଗ୍ରେସର ଏକ ପ୍ରତିନିଧି ଦଳ ପୋସ୍କୋ ପ୍ରକଳ୍ପ ଅଞ୍ଚଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି ।

ପୂର୍ବରୁ ଇଡକୋ ପୋସ୍କୋ ପାଇଁ ଗଡ କୁଜଙ୍ଗ ଓ ନୂଆଗାଁ ଗ୍ରାମ ପଞ୍ଚାୟତରୁ ପାନବରଜ ଭାଙ୍ଗି ଓ ଜଙ୍ଗଲ କାଟି ୨ ହଜାର ଏକର ପରିମିତ ଜମି ହାତକୁ ନେବାପରେ କାର୍ଯ୍ୟାରମ୍ଭ ପାଇଁ ଆଉ ୭ଶହ ଏକର ଜମି ଆବଶ୍ୟକ ଅନୁଭବ କରିଥିଲେ ।

ଯାହା ଢିଙ୍କିଆ ପଞ୍ଚାୟତରେ ହିଁ ଉପଲବ୍ଧ ଥିଲା । ମାତ୍ର ପ୍ରତିରୋଧ ଓ ପ୍ରସ୍ତୁତି ଉଦ୍ୟମରେ ବିଳମ୍ବ ଯୋଗୁ ତାହା ବର୍ଷକ ମଧ୍ୟରେ ସମ୍ଭବ ହୋଇପାରି ନଥିଲା ।

ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପକୁ ନେଇ ପ୍ରଶାସନ ଓ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଚାଲି ରହିଥବା ବେଳେ ବିରୋଧୀଙ୍କ ଧାରଣା ୧୫ଦିନରେ ପହଞ୍ଚିଛି ।

ଶନିବାର ବଡ଼ି ସକାଳୁ ଶତାଧିକ ବିରୋଧୀ ଗୋବିନ୍ଦପୁର ସୀମା ବାଲି ଟିକିରରେ ଏକାଠି ହୋଇଥିବା ବେଳେ କୃଷକ ନେତା ପିତାମ୍ବର ଦାସ, ଶ୍ରମିକ ନେତା କମ୍ରେଡ୍ ବାବୁରାମ ଚୌଧୁରୀ, ବିଷ୍ଣୁ ମୁଦୁଲି ପ୍ରମୁଖ ଆନ୍ଦୋଳନକୁ ଆହୁରି ଆଗେଇ ନେବାକୁ ପରାମର୍ଶ ଦେଇଥିଲେ ।

୬୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ମଧ୍ୟ ଆଜିର ଧାରଣାରେ ସାମିଲ ହୋଇଥିଲେ । ଛୋଟ ଛୋଟ ପିଲାଙ୍କୁ ନେଇ ବିରୋଧୀଙ୍କ ପକ୍ଷରୁ ବାଜି ରାଉତ ବାଳୁତ ସେନା ଗଠନ କରାଯାଇଥିବା ବେଳେ ଅପରପକ୍ଷେରେ ପ୍ରଶାସନ ଆଜି ଜଣକୁ ଅତି ଗୋପନୀୟ ଭାବରେ ଚେକ୍ ପ୍ରଦାନ କରିଛି ।

କିଛିଦିନ ତଳେ ପୋସ୍କୋ ସପକ୍ଷବାଦୀ କୁହାଯାଉଥିବା ମିଳିତ କ୍ରିୟାନୁଷ୍ଠାନର ସଭ୍ୟ ଦଳିତ ନେତା ବାବୁଲି ରାଉତଙ୍କ ଭାଇ ବିରୋଧୀଙ୍କ ସହ ସାମିଲ ହୋଇଥିଲେ । ହେଲେ ତାଙ୍କୁ ୨ଲକ୍ଷ ୩୦ ହଜାର ଟଙ୍କାର କ୍ଷତିପୂରଣ ଚେକ୍ ପ୍ରଦାନ କରାଯାଇଛି ।

ଅତି ଗୋପନରେ ଚେକ୍ ନେଇଥିବା ଦୁର୍ଲ୍ଲଭ ରାଉତ କିଛି ଦିନ ତଳେ ପୋସ୍କୋ ବିରୋଧିଙ୍କ ସହିତ ସାମିଲ ହୋଇ ପ୍ରଶାସନଠାରୁ ଚେକ୍ ନେବେନି ବୋଲି ଧାରଣା ସ୍ଥଳରେ ଘୋଷଣା କରିଥିଲେ ।

ପ୍ରଶାସନ ତାଙ୍କୁ ମନେଇବାରେ ସଫଳ ହୋଇଥିବା ବେଳେ ଆଗାମୀ ଦିନରେ ବାକିଥିବା ସମସ୍ତ ୧୮ ଜଣଙ୍କୁ ଚେକ୍ ପ୍ରଦାନ କରି ଅଞ୍ଚଳକୁ ଶୀଘ୍ର ପଶିବା ପାଇଁ ଯୋଜନା କରିଛି ।

ଅପରପକ୍ଷରେ ବିରୋଧୀମାନେ ଛୋଟ ଶିଶୁଙ୍କୁ ମୁଖାକରି ପୁଲିସ ଓ ପ୍ରଶାସନକୁ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଦୁଇଦିନତଳେ ପାରାଦ୍ୱୀପରେ ପୁଲିସ ବାହିନୀର ଏକ ଗୁପ୍ତ ବୈଠକ ବସିିଥିଲା ।

ଓଡିଶା ଡଟ୍ କମ୍

Exit mobile version