Site icon Odisha.com

ବଳାତ୍କାର ଆଦି ମାମଲାର ବିଚାର ପାଇଁ ସ୍ପେଶାଲ୍ କୋର୍ଟ ଉଦଘାଟିତ

ଓଡିଶା ଡଟ୍କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃଆରି ୫(ଓଡିଶା ଡଟ୍ କମ୍ )-ମହିଳାଙ୍କ ବିରୋଧରେ ସଙ୍ଗଠିତ ହେଉଥିବା ଅପରାଧଜନିତ ମାମଲାର ବିଚାର ପାଇଁ ରାଜ୍ୟର ପ୍ରଥମ ସ୍ୱତନ୍ତ୍ର ଟ୍ରାକ କୋର୍ଟ ସୋମବାର ଦିନ କଟକସ୍ଥିତ ସିଭିଲକୋର୍ଟ ପରିସରରେ ଉଦଘାଟିତ ହୋଇଯାଇଛି ।

ଉଦଘାଟନୀ ଉତ୍ସବରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ମଦନମୋହନ ଦାସ, ବିଚାରପତି ଇନ୍ଦ୍ରଜିତ ମହାନ୍ତି, ବିଚାରପତି କୁମାରୀ ସଞ୍ଜୁ ପଣ୍ଡା, ବିଚାରପତି ବିଜୟକୁମାର ନାୟକ, ବିଚାରପତି ସଞ୍ଜୟକୁମାର ମିଶ୍ର, ବିଚାରପତି ବୀରକିଶୋର ମିଶ୍ର ଓ ବିଚାରପତି ରଘୁବୀର ଦାଶ ଯୋଗ ଦେଇଥିଲେ ।

ଏହି ସ୍ୱତନ୍ତ୍ର ଟ୍ରାକ ଅଦାଲତରେ ମହିଳାଙ୍କ ବିରୋଧରେ ହେଉଥିବା ବିଭିନ୍ନ ଅପରାଧ ତଥା ଅପହରଣ, ବଳାତ୍କାର, ଗଣ ବଳାତ୍କାର ଜନିତ ହତ୍ୟା ଆଦି ମାମଲାର ତ୍ୱରିତ ଫଇସଲା କରାଯିବ ।

ମହଳିାଙ୍କ ବିରୋଧରେ ହେଉଥିବା ଅପରାଧଜନିତ ମୋକଦ୍ଧମା ହ୍ରାସ କରିବା ସକାଶେ ନିକଟରେ ଫୁଲକୋର୍ଟରେ ପ୍ରସ୍ତାବ ଗ୍ରହଣ କରାଯାଇ ତୁରନ୍ତ ରାଜ୍ୟର ୩୦ଟି ଜିଲାରେ ‘ସ୍ୱତନ୍ତ୍ର ଟ୍ରାକ କୋର୍ଟ’ର୍ ଖୋଲିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।

ବିଶେଷକରି ଭାରତୀୟ ପିଙ୍ଗଳ କୋର୍ଡର ଦଫା ୩୬୬, ୩୭୬, ୩୫୪, ୫୦୯, ୪୯୩ ଓ ୪୯୮(କ) ଧାରାକୁ ନେଇ ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯିବ ।

ବର୍ତମାନ ସାରା ରାଜ୍ୟରେ ୨୫ ହଜାରରୁ ଊର୍ଦ୍ଧ୍ଵ ଏହି ଧରଣର ମୋକଦ୍ଧମା ବିଚାର ପାଇଁ ପଡିରହିଥିବାବେଳେ ସେଥିମଧ୍ୟରୁ ୩ ହଜାର ୬୭୯ଟି ବଳାତ୍କାର ମାମଲା ବିଚାରାଧୀନ ରହିଛି । ବିଚାରପାଇଁ ପଡ଼ିିରହିଥିବା ବଳାତ୍କାର ମାମଲା ମଧ୍ୟରୁ ୧୫୬୬ଟି ମାମଲା ତଦନ୍ତ ସ୍ତରରେ ରହିଛି ବୋଲି ଏକ ଆକଳନରୁ ଜଣାପଡିଛି ।

କଟକ ଜିଲା ଓ ଦୌରା ଜଜ ଶତ୍ରୁଘ୍ନ ପୂଜାହାରୀଙ୍କ ପ୍ରତାକ୍ଷ ତତ୍ୱାବଧାନ ଓ ଅନ୍ୟ ବିଚାର ବିଭାଗୀୟ ଅଧିକାରୀଙ୍କ ସହାୟତାରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଓଡିଶା ଡଟ୍କମ୍

Exit mobile version