Site icon Odisha.com

ରାଷ୍ଟ୍ର ନିର୍ମାଣ ପାଇଁ ଫେବୃୟାରୀ ୧୮ରେ ସାମୁହିକ ସୂର୍ଯ୍ୟ ନମସ୍କାର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃଆରି ୫(ଓଡିଶା ଡଟ୍ କମ୍ )-ସ୍ୱାମୀ ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ଅବସରରେ ସ୍ୱାମୀ ବିବେକାନନ୍ଦ ସାର୍ଦ୍ଧଶତୀ ସମାରୋହ ଆନୁକୁଲ୍ୟରେ ଏକ ବର୍ଷ ଧରି ହେବାକୁଥିବା କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବପରେ ଦ୍ୱିତୀୟ ପର୍ଯ୍ୟାୟରେ ଫେବୃୟାରୀ ୧ ରୁ ୧୫ ମଧ୍ୟରେ ଗୃହ ସଂପର୍କ ଅଭିଯାନ ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପରିବାର ସହିତ ସଂପର୍କ କରାଯାଇ ସେମାନଙ୍କୁ ସ୍ୱାମୀଜୀଙ୍କ ଫଟୋ, ସଂକ୍ଷିପ୍ତ ଜୀବନୀ ତଥା ବାଣୀଥିବା ବହି, କରପତ୍ର, ଷ୍ଟିକର ଆଦି ଦେବା ଆରମ୍ଭ ହୋଇଯାଇଛି ।

ସମାଜର ପ୍ରତ୍ୟେକ ବ୍ୟକ୍ତି ସ୍ୱାମୀଜୀଙ୍କ ଅନୁଚିନ୍ତାକୁ ହୃଦୟଙ୍ଗମ କରିବାପାଇଁ ସାରାଦେଶରେ ଏଭଳି ପ୍ରୟାସ ଆରମ୍ଭ ହୋଇଛି ବୋଲି ଏହି ସାର୍ଦ୍ଧଶତୀ ସମାରୋହର ରାଜ୍ୟ ସଂପାଦକ ଶିକ୍ଷାବିତ୍ ଡ଼କ୍ଟର ଧିରେନ୍ଦ୍ର ନନ୍ଦ କହିଛନ୍ତି ।

ଏହି ସମାରୋହର ତୃତୀୟ ପର୍ଯ୍ୟାୟରେ ଫେବୃୟାରୀ ୧୮ ତାରିଖରେ ସାରାଭାରତବର୍ଷରେ ଅଷ୍ଟମରୁ ଦ୍ୱାଦଶ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତ୍ୟେକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ସାମୁହିକ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ସ୍ୱାମୀଜୀଙ୍କ ଭାଷାରେ ‘ମୁଁ ଚାହେଁ ଲୌହର ମାଂସପେଶୀ ଏବଂ ଇସ୍ପାତର ସ୍ନାୟୁ, ଯାହା ଭିତରେ ବଜ୍ର ତିଆରି ହେଉଥିବା ପଦାର୍ଥର ମନ ନିବାସ କରେ । ଶକ୍ତି, ପୌରୁଷ, କ୍ଷାତ୍ରବୀର୍ଯ୍ୟ, ବ୍ରହ୍ମତେଜ, ବଳ ହିଁ ଜୀବନ, ଦୁର୍ବଳତା ହିଁ ମୃତ୍ୟୁ’ ।

ତେଣୁ ସ୍ୱାମୀଜୀଙ୍କ ପରିକଳ୍ପିତ ଆଦର୍ଶ ଯୁବକ ଯୁବତୀ ନିର୍ମାଣ ନିମନ୍ତେ ବ୍ୟାୟାମ, ଆସନ ଓ ପ୍ରାଣାୟମର ସମିଶ୍ରଣ ଅମୂଲ୍ୟ ସୂର୍ଯ୍ୟ ନମସ୍କାରର ଆବଶ୍ୟକତା ରହିଛି । ଏହା ମଧ୍ୟରେ ଥିବା ଭିନ୍ନ ଭିନ୍ନ ସାତଟି ଆସନ ଶରୀରରେ ଶ୍ୱସନ, ରକ୍ତ ସଞ୍ଚାଳନ ଓ ପାଚନ ସଂସ୍ଥାନ ଗୁଡ଼ିକୁ ପ୍ରଭାବିତ ଏବଂ ଉଜ୍ଜୀବିତ କରିବା ସହିତ ଶରୀରକୁ ସକ୍ରିୟ, ସକ୍ଷମ, ସଂଯମ ତଥା ସୁସ୍ଥ ରଖି ଶରୀରର ସନ୍ତୁଳନ ରକ୍ଷାକରେ ।

ଏହାଦ୍ୱାରା ଏକ କାର୍ଯ୍ୟଦକ୍ଷ ଓ ସନ୍ତୁଳିତ ମସ୍ତିଷ୍କରେ ମନର ଏକାଗ୍ରତା, ସ୍ମୃତିଶକ୍ତି, ନମନୀୟତା, ଆତ୍ମବିଶ୍ୱାସ ସହିତ ଶ୍ରଦ୍ଧା ବୃଦ୍ଧିପାଏ । ସୂର୍ଯ୍ୟ ନମସ୍କାରର ସାମୁହିକ ଅଭ୍ୟାସ ମାଧ୍ୟମରେ ଏକ ଅନୁଶାସିତ ସଙ୍ଗଠିତ ସମାଜ ତଥା ରାଷ୍ଟ୍ରର ନିର୍ମାଣ ସମ୍ଭବ ହୋଇପାରିବ ।

ଏହି କାର୍ଯ୍ୟକ୍ରମ ସମସ୍ତ ଉଚ୍ଚବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ହେବା ସହିତ ପ୍ରତ୍ୟେକ ଜିଲ୍ଲା, ନଗର ଏବଂ ବ୍ଲକ କେନ୍ଦ୍ରମାନଙ୍କରେ ମଧ୍ୟ ସାମୁହିକ ଭାବରେ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ମଧ୍ୟରେ ଶେଷ ହେବ ।

ଏଥିରେ ସଂପୂର୍ଣ୍ଣ ମନ୍ତ୍ର ସହ ୭ଟି ସୂର୍ଯ୍ୟ ନମସ୍କାର ସମଗ୍ର ଦେଶର ପ୍ରତ୍ୟେକ ସ୍ଥାନରେ ଠିକ୍ ସକାଳ ୧୦ଟାରେ କରାଯିବ । ସେଥିପାଇଁ ପ୍ରତ୍ୟେକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପିଟି(ଖେଳ) ଶିକ୍ଷକଙ୍କ ସହ ସମାରୋହର କାର୍ଯ୍ୟକର୍ତ୍ତାମାନେ ଯୋଗାଯୋଗ କରି ତା’ର ପୂର୍ବ ପ୍ରସ୍ତୁତି ଓ ଅଭ୍ୟାସ କରାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ସଂପାଦକ ଡ଼କ୍ଟର ନନ୍ଦ ପ୍ରକାଶ କରିଛନ୍ତି ।

ରାଷ୍ଟ୍ର ନିର୍ମାଣର ଏହି ପ୍ରକାର ଗୃହ ସଂପର୍କ ଅଭିଯାନ ଏବଂ ସାମୁହିକ ସୂର୍ଯ୍ୟ ନମସ୍କାର ଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସାରା ରାଜ୍ୟର ସମସ୍ତ ବ୍ୟକ୍ତି ସହଯୋଗ କରିବା ପାଇଁ ଆହ୍ୱାନ ଦିଆଯାଇଛି ।

ଓଡିଶା ଡଟ୍ କମ୍

Exit mobile version