Site icon Odisha.com

ପୋସ୍କୋ ବିରୋଧୀଙ୍କ ଉପରେ ଆକ୍ରମଣକୁ ନିନ୍ଦା

ଓଡିଶା ଡଟକମ

ଭୁବନେଶ୍ୱର,ଫେବୃଆରି ୬(ଓଡିଶା ଡଟକମ )- ଗୋବିନ୍ଦପୁର ଓ ଢିଙ୍କିଆଠାରେ ପସ୍କୋ ପାଇଁ ପୁଲିସ ଜରିଆରେ ବଳପୂର୍ବକ ଜମି ଅଧିଗ୍ରହଣକୁ ବିରୋଧ କରି ଆନ୍ଦୋଳନକରୁଥିବା ଛାତ୍ରଛାତ୍ରୀ ଓ ମହିଳାଙ୍କ ଉପରେ ପୋଲିସର ବର୍ବର ଆକ୍ରମଣକୁ ଛାତ୍ର ସଂଗଠନ ଅଲ୍ ଇଣ୍ଡିଆ ଡି.ଏସ୍.ଓର ପ୍ରତିନିଧି ଦଳ ତୀବ୍ର ନିନ୍ଦା କରିଛନ୍ତି ।

ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଅଲ୍ ଇଣ୍ଡିଆ ଡି.ଏସ୍.ଓ)ର ରାଜ୍ୟ ସଭାପତି ଅକ୍ଷୟ ଦାସ, ସଭାପତି ସୁବାସ ନାୟକ, ସମ୍ପାଦକ ଶିବାଶିଷ ପ୍ରହରାଜ, ସମ୍ପାଦକମଣ୍ଡଳୀ ସଦସ୍ୟ କେଦାରନାଥ ସାହୁ ଓ ସିଦ୍ଧାର୍ଥ ରଥ ପ୍ରମୁଖ ଏକ ପ୍ରତିନିଧି ଦଳରେ ଗୋବିନ୍ଦ ପୁର ଓ ଡିଙ୍କିଆ ସୀମାରେ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ଯାଇ ବଳ ପୂର୍ବକ ଜମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନକୁ ସଂଗଠନ ପକ୍ଷରୁ ସମର୍ଥନ ଜଣାଇଥିଲେ ।

ପୋସ୍କୋ ବିରୋଧୀ ଆନ୍ଦୋଳନକୁ ଦମନ କରିବା ପାଇଁ ଶହ ଶହ ସଶସ୍ତ୍ର ପୁଲିସ ଫ୍ଲାଗ ମାର୍ଚ୍ଚ କରି ସନ୍ତ୍ରାସ ସୃଷ୍ଟି କରିବା ସହ ଘର ଘର ବୁଲି ଲୋକମାନଙ୍କୁ ଧମକ ଦେଉଛି ଓ ମହିଳାମାନଙ୍କୁ ଦୁର୍ବ୍ୟବହାର କରୁଛି ।

ଲୋକମାନେ ସ୍ୱେଚ୍ଛାରେ ଜମି ଦେଉଛନ୍ତି ବୋଲି ସରକାର ପ୍ରତାରଣାମୂଳକ ପ୍ରଚାର କରି ଚାଲିଥିବା ବେଳେ ଅତ୍ୟନ୍ତ ଅମାନବିକ ଓ ଅନ୍ୟାୟଭାବେ ପୋଲିସ ରାତି ଅଧିଆ ବା ବଡି ଭୋରରୁ ଆନ୍ଦୋଳନକାରୀମାନଙ୍କ ପାନ ବରଜ ଭାଙ୍ଗି ଚାଲିଛି ବୋଲି ଡି.ଏସ୍.ଓ କହିଛନ୍ତି ।

ଗଣମାଧ୍ୟମ ସମ୍ମୁଖରେ ଛାତ୍ରଛାତ୍ରୀ ଓ ମହିଳାମାନଙ୍କୁ ପୋଲିସ ଏବଂ ପଦାଧିକାରୀମାନେ ଯେଭଳି ଅତ୍ୟାଚାର କରିଛନ୍ତି, ଜନଗଣଙ୍କ ଉପରେ କିଭଳି ଆକ୍ରମଣ ହେଉଥିବ ତାହା ସେଥିରୁ ସହଜରେ ଅନୁମାନ କରାଯାଇପାରେ ।

ଏଣୁ ଏହି ଘଟଣାକୁ ଅଲ୍ ଇଣ୍ଡିଆ ଡି.ଏସ୍.ଓ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରୁ ତୁରନ୍ତ ପୋଲିସ ହଟାଇବା ଓ ବଳ ପ୍ରୟୋଗ କରି ଜବରଦସ୍ତି ଜମି ଅଧିଗ୍ରହଣ ବନ୍ଦ କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଛି ଏବଂ ଏହା ବ୍ୟତିରେକ ଦୁର୍ବାର ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଓଡିଶା ଡଟ୍ କମ୍

Exit mobile version