Site icon Odisha.com

କିସ୍ ଉଦ୍ୟମକୁ କେନ୍ଦ୍ର ଜନଜାତି ବିଭାଗ ମନ୍ତ୍ରୀଙ୍କ ପ୍ରଶଂସା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ୧୪ ।୨(ଓଡ଼ିଶା ଡ଼ଟ୍ କମ୍)- ଆଦିବାସୀଙ୍କର ମୁଖ୍ୟ ସମସ୍ୟା ହେଉଛି ଶିକ୍ଷା । ଶିକ୍ଷା ସେମାନଙ୍କ ନିକଟରେ ଠିକ୍ ଭାବେ ପହଞ୍ଚି ପରୁନଥିବାରୁ ଆଦିବାସୀମାନେ ସଶକ୍ତ ହୋଇପାରୁନାହାନ୍ତି ।

କିସ୍, ଶିକ୍ଷା ଜରିଆରେ ଆଦିବାସୀ ସଶକ୍ତିକରଣ କରିପାରୁଛି ବୋଲି କହିଛନ୍ତି କେନ୍ଦ୍ର ପଞ୍ଚାୟତିରାଜ ତଥା ଜନଜାତି ବିଭାଗ ମନ୍ତ୍ରୀ ଭି. କିଶୋର ଚନ୍ଦ୍ର ଦେବ ।

ବୁଧବାର କିସ୍ ପରିଦର୍ଶନରେ ଆସି ସେ କିଟ୍ ଓ କିସ୍ର ସମସ୍ତ କ୍ୟାମ୍ପସ୍ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇ କହିଲେ, ଆଦିବାସୀମାନେ ଶିକ୍ଷିତ ହୋଇପାରୁନଥିବାରୁ ସରକାରୀସ୍ତରରେ ସେମାନଙ୍କ ଲାଗି ରହିଥିବା ବିଭିନ୍ନ ସୁବିଧା ସେମାନେ ହାସଲ୍ କରିପାରୁନାହାନ୍ତି ।

ଏହା ସହ କେନ୍ଦ୍ରୀୟସ୍ତରରେ ଆଦିବାସୀଙ୍କ ଉଚ୍ଚଶିକ୍ଷା ଓ ଆତ୍ମ ନିଯୁକ୍ତି ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ସଂପର୍କରେ ସୂଚନା ଦେଇଥିଲେ ।

ଶିକ୍ଷା ଦ୍ୱାରା ହିଁ ଅବହେଳିତ ଆଦିବାସୀଙ୍କ ବିକାଶ ସମ୍ଭବ ହୋଇପାରିବ ବୋଲି କହି କିସ୍ ର ଉଦ୍ୟମ ଫଳରେ ହଜାର ହଜାର ଅବହେଳିତ ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର ହୋଇ ପାରୁଥିବାରୁ କିସ୍ ଭଳି ଅନୁ୍ଷ୍ଠାନକୁ ସମସ୍ତେ ସହଯୋଗର ହାତ ବଢ଼ାଇବା ଉଚିତ ବୋଲି ସେ କହିଥିଲେ ।

ଏହି ଅବସରରେ ସେ କିସ୍ ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିସ୍ ଛାତ୍ରଛାତ୍ରୀଙ୍କ ନିଆରା ସ୍ୱାଗତ ଓ ବିଭିନ୍ନ ନମୂନା ଘର ଦେଖିବା ପରେ ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବୀତ କରି ରଖିବା ପାଇଁ କିସ୍ ଉଦ୍ୟମ ବଜାୟ ରଖିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଏହି ଅବସରରେ ସେ କିସ୍ ର ଆକାଡେମୀ ଗୃହ, ଧନ୍ଦାମୂଳକ ତାଲିମ କେନ୍ଦ୍ର, ବିରାଟ ଖାଇବା ଗୃହ, ମିନେରାଲ୍ ୱାଟର ପ୍ଲାଣ୍ଟ ତଥା କିସ୍ ରେ ପ୍ରଦାନ କରାଯାଉଥିବା କ୍ରୀଡ଼ା ସୁବିଧା ସମେତ ଅନ୍ୟାନ୍ୟ ବିଭାଗ ସେ ବୁଲି ଦେଖିଥିଲେ ।

କିସ୍ ରେ ଏହି ପିଲାମାନଙ୍କୁ ଶିକ୍ଷା ସହ ନିଯୁକ୍ତି ସୁଯୋଗ ମିଳିପାରୁଥିବାରୁ ଏଭଳି ସଫଳତା ଦିଗରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ଶ୍ରୀ ଦେବ ପ୍ରଶଂସା କରିଥିଲେ ।

ଅପରପକ୍ଷରେ ମନ୍ତ୍ରୀ ଶ୍ରୀ ଦେବ କିଟ୍-କିସ୍ ପରିଦର୍ଶନ କରିଥିବାରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦେବଙ୍କୁ ନିଜର କୃତଜ୍ଞତା ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ କିସ୍ ସଂପାଦକ ଆର. ଏନ୍ ଦାଶ ଓ ମୁଖ୍ୟ ପରିଚାଳକ ଡ. ପ୍ରଶାନ୍ତ କୁମାର ରାଉତରାୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version