Site icon Odisha.com

ପ୍ରାଥମିକ ଶିକ୍ଷା ମାତୃଭାଷାରେ ଦିଆ ଯାଉ -ଆରଏସ୍ଏସ୍

ଭୁବନେଶ୍ୱର,୧୯ ମାର୍ଚ (ଓଡିଶା ଡଟ କମ ) ପ୍ରାଥମିକ ଶିକ୍ଷା ମାତୃଭାଷାରେ ଦିଆଯିବା ଉଚିତ୍ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା (ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସମିତି) ପ୍ରସ୍ତାବ ଗ୍ରହଣ କରିଛି ।

କୌଣସି ବିଦେଶୀ ଭାଷାକୁ ଗୋଟିଏ ବିଷୟ ଭାବରେ ପଢାଯାଇପାରେ । ଏସମ୍ଭନ୍ଧରେ ଆମେ ପ୍ରସ୍ତାବ ରଖୁଛୁ ଯେ, ଓଡିଶାରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଓଡିଆରେ / ମାତୃଭାଷାରେ ଦିଆଯିବା ଉଚିତ୍ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ପୂର୍ବ ଓଡିଶାର ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ଦାବି କରିଛନ୍ତି ।

ମହାନ୍ତି କହିଛନ୍ତି ଯେ,ମିଳିତ ଜାତିସଂଘ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଛନ୍ତି । ତେଣୁ ସଂଘ ନିଷ୍ପତ୍ତି ନେଇଛି ଯେ ଆସନ୍ତା ଜୁନ ମାସରେ ଏହି ଅବସରରେ ପ୍ରତ୍ୟେକ ଶାଖାରେ ଜୁନ୍ ୧୫ରୁ ୨୧ ତାରିଖ ପର୍ଯନ୍ତ ସାତ ଦିନ ଯାଏଁ ଯୋଗାଭ୍ୟାସ କରାଯିବ ଓ ଯୋଗ ସମ୍ଭନ୍ଧରେ ବାଖ୍ୟାନ କରାଯିବ । ସରକାର ତଥା ସାମାଜିକ ସଂଗଠନ ଦ୍ୱାରା ଆୟୋଜିତ ହେଉଥିବା ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ସଂଘ ସଂପୂର୍ଣ୍ଣରୂପେ ସହଯୋଗ କରିବ ।

ଦେଶରେ ସମସ୍ତ ଗ୍ରାମ ମାନଙ୍କରେ ଥିବା ମନ୍ଦିର, ଜଳାଶୟ ଏବଂ ଶ୍ମଶାନ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିବା ଦରକାର । ଏହା ସାମାଜିକ ସମରସତାରେ ସାହାଯ୍ୟ କରିବ । ଏହି ପୂଣ୍ୟ କାର୍ଯ୍ୟରେ ସଂଘ ସମ୍ପୂର୍ଣ୍ଣ ସହଯୋଗ କରିବ । ସଂଘ କାର୍ଯ୍ୟକୁ ଆହୁରି ବ୍ୟାପକ କରାଯିବ ।

ଏବେ ଇଂଟରନେଟ୍ ମାଧ୍ୟମରେ ଜଏନ୍ ଆରଏସ୍ଏସ୍ କାର୍ଯ୍ୟକ୍ରମରେ ସମଗ୍ର ଦେଶରେ ପ୍ରତିଦିନ ହାରାହାରି ୩,୦୦୦ ବ୍ୟକ୍ତି ସଂଘରେ ଯୋଗଦାନ କରୁଛନ୍ତି । ଓଡିଶାରେ ଏହି ସଂଖ୍ୟା ହେଲା ୧୦ ।

ମହାନ୍ତି କହିଛନ୍ତି ଯେ, ପ୍ରତିନିଧି ସଭା ବୈଠକରେ ସଂଘ ତରଫରୁ ଦେଶରେ ଚାଲୁଥିବା ବିଭିନ୍ନ ସେବାକାର୍ଯ୍ୟର ବିବରଣୀ ଦିଆଯାଇ ଥିଲା । ସେଗୁଡିକ ହେଲା ୮୧,୨୭୮ ଶିକ୍ଷାକେନ୍ଦ୍ର (ଓଡିଶାରେ ୧୭୯), ୨୨,୭୪୧ ସ୍ୱାସ୍ଥ୍ୟକେନ୍ଦ୍ର (ଓଡିଶାରେ ୨୬୮), ୨୬,୩୮୮ ସାମାଜିକ ସଂସ୍କାର କେନ୍ଦ୍ର (ଓଡିଶାରେ ୩୧୮), ଏବଂ ୨୧,୯୮୧ ସ୍ୱାବଲମ୍ବନ କେନ୍ଦ୍ର (ଓଡିଶାରେ ୨୪୯) । ଏହିଭଳି ଭାବେ ଦେଶରେ ମୋଟ ୧,୫୨,୩୮୮ ସେବାକେନ୍ଦ୍ର ଓ ଓଡିଶାରେ ୧,୦୧୪ଟି ସେବାକେନ୍ଦ୍ର ଚାଲୁଅଛି ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା (ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସମିତି)ର ବୈଠକ ନାଗପୁର ଠାରେ ମାର୍ଚ୍ଚ ୧୩,୧୪ ଓ ୧୫ ତାରିଖ ତିନି ଦିନ ଧରି ଚାଲିଥିଲା । ଏହାକୁ ସରସଂଘଚାଳକ ଶ୍ରୀଯୁକ୍ତ ମୋହନରାଓ ଭାଗବତ୍ ଉଦ୍ଘାଟନ କରିଥିଲେ ।

ପ୍ରଥମେ ସମାଜରେ ବିଭିନ୍ନ ସ୍ତରରେ କାର୍ଯ୍ୟକରିଥିବା ଦିବଙ୍ଗତ ନେତୃସ୍ଥାନୀୟ ବ୍ୟକ୍ତି ତଥା ପ୍ରାକୃତିକ ବିପର୍ଯ୍ୟୟ ଏବଂ ଆତଙ୍କବାଦୀମାନଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ସାଧାରଣ ଜନତା ଓ ସୁରକ୍ଷା କର୍ମଚାରୀମାନଙ୍କ ପରଲୋକଗତ ଆତ୍ମାପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ତାପରେ ସରକାର୍ଯ୍ୟବାହ ଶ୍ରୀଯୁକ୍ତ ସୁରେଶ ଭାୟାଜୀ ଯୋଶୀ ସଂଘର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ ।

ଓଡିଶା ଡଟ କମ

Exit mobile version