Site icon Odisha.com

ବିଦ୍ୟୁତ ଶୁଳ୍କ ବୃଦ୍ଧି ବିରୋଧରେ ଏସ୍.ୟୁ.ସି.ଆଇ(ସି)ର ପ୍ରତିବାଦ ପ୍ରଦର୍ଶନ

ଭୁବନେଶ୍ୱର, ମାର୍ଚ ୩୧ (ଓଡିଶା ଡଟ କମ) ବିଦ୍ୟୁତ ଶୁଳ୍କ ବୃଦ୍ଧି ବିରୁଦ୍ଧରେ ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ୍ ଇଣ୍ଡିଆ (କମୁ୍ୟନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ମଙ୍ଗଳବାର ରାଜ୍ୟ ବ୍ୟାପୀ ପ୍ରତିରୋଧ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି ।

ଏହି ପରିପେକ୍ଷୀରେ ଏସ୍.ୟୁ.ସି.ଆଇ(ସି) ଭୁବନେଶ୍ୱର ଲୋକାଲ କମିଟିର ସଂପାଦକ ପୂର୍ଣ୍ଣ ବେହେରା, ସଦସ୍ୟ ସନ୍ତୋଷ ରଥ, ରାଜେନ୍ଦ୍ର ବର୍ମ୍ମା, ନିରଞ୍ଜନ ମହାନ୍ତି, ସୁବାସ ନାୟକ ଓ ପ୍ରଭାମଂଜୁଳା ବ୍ରହ୍ମଙ୍କ ନେତୃତ୍ୱରେ ଓ.ଇ.ଆର.ସି ଅଫିସ୍ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରଯାଇଥିଲା। ବିକ୍ଷୋଭକାରୀମାନେ ପାୱାର ହାଉସ୍ ଛକରୁ ଏକ ପଟୁଆରରେ ବାହାରି ଓ.ଇ.ଆର.ସି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ବିକ୍ଷୋଭକାରୀମାନଙ୍କୁ ଅତ୍ୟନ୍ତ ଅନ୍ୟାୟ ଓ ଅଗଣତାନ୍ତ୍ରିକ ଭାବରେ ରାଜ୍ୟ ସରକାର ଗିରଫ କରି ଥିବା ଏସ୍.ୟୁ.ସି.ଆଇ(ସି) ଅଭିଯୋଗ କରିଛି ।

ଏହାକୁ ଏସ୍.ୟୁ.ସି.ଆଇ(ସି)ର ରାଜ୍ୟ ସମ୍ପାଦକ ଶ୍ରୀ ଧୁର୍ଜ୍ଜଟୀ ଦାସ ତୀବ୍ର ନିନ୍ଦା କରି ଏକ ପ୍ରେସ୍ ବିବୃତି ମାଧ୍ୟମରେ କହିଛନ୍ତି ଯେ, ରାଜ୍ୟର ବି.ଜେ.ଡି ସରକାର ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ନକରି ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରୁଥିବା ଜନସାଧାରଣଙ୍କୁ ଗିରଫ କରିବା ଅତ୍ୟନ୍ତ ଅନ୍ୟାୟ ଓ ଚରମ ଜନବିରୋଧି ପଦକ୍ଷେପ, ଯାହାକୁ ରାଜ୍ୟବାସୀ କଦାପି ବରଦାସ୍ତ କରିବେ ନାହିଁ ।

ଅବିଳମ୍ବେ ସରକାର ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ତଥା ବିଦ୍ୟୁତ ସେବାର ଘରୋଇକରଣ ବାତିଲ କରିବାକୁ ଦାସ ଦାବି କରିବା ସହିତ ଦାବି ପୁରଣ ନହେବା ଯାଏଁ ଶକ୍ତିଶାଳୀ ଦୀର୍ଘସ୍ଥାୟୀ ଗଣ ଆନ୍ଦୋଳନ ଗଢିତୋଳିବାକୁ ରାଜ୍ୟବାସୀଙ୍କୁ ସେ ଆହ୍ୱାନ ଦେଇଛନ୍ତି ।

ଓଡିଶା ଡଟ କମ

Exit mobile version