Site icon Odisha.com

ସମ୍ବଲପୁର: ଅସ୍ତ୍ର ଧରି ଶୋଭାଯାତ୍ରାରେ ଭାଗନେବା ଉପରେ କଟକଣା

ଓଡିଶା ଡଟ କମ ସଂବାଦଦାତା

ସମ୍ବଲପୁର, ଏପ୍ରିଲ ୭ (ଓଡିଶା ଡଟକମ) ଅସ୍ତ୍ରଶସ୍ତ୍ର ଧରି ସମ୍ବଲପୁରରେ ଶୋଭାଯାତ୍ରାରେ କେହି ଭାଗ ନେଇପାରିବେ ନାହିଁ , ଜିଲା ପ୍ରଶାସନ ଆଗାମୀ ୧୪ ତାରିଖରେ ପଡୁଥିବା ହନୁମାନ ଜୟନ୍ତୀ ଅବସରରେ ସହରରେ ହେବାକୁଥିବା କାର୍ଯ୍ୟକ୍ରମକୁ ଆଖିଆଗରେ ରଖି ଏହି ନିର୍ଦେଶନାମା ଜାରି କରିଛି।

କାର୍ଯ୍ୟକ୍ରମ ମାନଙ୍କରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ଏହି କଟକଣା ଜାରି କରାଯାଇଥିବା ଜିଲ୍ଲା ପୁଲିସ ମୁଖ୍ୟ ଅଖିଳେଶ୍ଵର ସିଂହ ଓଡିଶା ଡଟ କମକୁ କହିଛନ୍ତି। ସହରରେ ଶୋଭାଯାତ୍ରା ପାଇଁ ସ୍ଵାଭାବିକ ଅନୁମତି ଦିଆଯାଉଛି । ଶୋଭାଯାତ୍ରା ଉପରେ କୌଣସି ବାରଣ କରାଯାଇନାହିଁ, ସେ କହିଛନ୍ତି ।

ଅସ୍ତ୍ରଶସ୍ତ୍ର ଧାରଣ କରି କେହି ଶୋଭାଯାତ୍ରାରେ ଭାଗନେଇ ପାରିବେ ନାହିଁ । ଏହି କଟକଣା ତିନିମାସ ପର୍ଯ୍ୟନ୍ତ ବଳବତ୍ତର ରହିବା। ପରେ ଏହାର ଅବଧିକୁ ବଢାଯିବ, ସେ କହିଛନ୍ତି । ସମ୍ବଲପୁର ସହରରେ ଅତୀତରେ ଧାର୍ମିକ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ଧାରଣକୁ କେନ୍ଦ୍ର କରି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିଲା।

ହନୁମାନ ଜୟନ୍ତୀ ଆୟୋଜନ କମିଟି ଚଳିତ ବର୍ଷ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରା ବାହାର କରିବା ଜିଦରେ ଅଟଳ ଥିବାରୁ ପ୍ରଶାସନ ଏହି ପଦକ୍ଷେପ ନେଇଥିବା କୁହା ଯାଇଛି।

ଓଡିଶା ଡଟକମ

Exit mobile version