Site icon Odisha.com

ଚାରିଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ହତ୍ୟା, ୭୦ ଅଟକ

କୋରାପୁଟ, ଏପ୍ରିଲ ୯ (ଓଡିଶା ଡଟ କମ) କୋରାପୁଟ ଜିଲାରେ ଗୁରୁବାର ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଉପରେ ଆକ୍ରମଣ କରି ଚାରିଜଣଙ୍କୁ ଗ୍ରାମବାସୀ ହତ୍ୟା କରିଥିବା ଏବଂ ପରେ ସେମାନଙ୍କ ଗାଡିରେ ନିଆଁ ଲଗାଇ ଦେଇଥିବା ପୁଲିସ କହିଛି ।

ମଧ୍ୟରାତ୍ରି ପରେ ଜୟପୁର ସଦର ଥାନା ଅଞ୍ଚଳର ବାଲିଆ ଗ୍ରାମ ନିକଟରେ ହୋଇଥିବା ଏହି ନୃଶଂସ ମାମଲାରେ ପୋଲିସ ପ୍ରାୟ ୭୦ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଥିବା ଆଇଜି ଯଶୱନ୍ତ ଜେଠ୍ୱା ଓଡିଶା ଡଟ କମକୁ କହିଛନ୍ତି ।

ତାଙ୍କ କହିବା ଅନୁସାରେ ଶତାଧିକ ଗ୍ରାମବାସୀ କେତେକ ଗାଡିରେ ଗଞ୍ଜେଇ ନେଇ ଯାଉଥିବା ଛତିଶଗଡର ଦଶଜଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ସେମାନେ ପିଟି ପିଟି ହତ୍ୟା କରିଥିବା ବେଳେ ଅନ୍ୟମାନେ ସୌଭାଗ୍ୟକ୍ରମେ ବଞ୍ଚି ଯାଇଥିଲେ ।

ପୋଲିସ ବର୍ତି ଯାଇଥିବା ଚୋରାବେପାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ପ୍ରାୟ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ରାସ୍ତାରେ ପଡିଥିବା ଚାରି ଗଞ୍ଜେଇ ଚୋରା ଚାଲାଣ କାରୀଙ୍କ ମୃତଦେହକୁ ଉଦ୍ଧାର କରିବା ସହ ଏହି ମାମଲାରେ ପ୍ରାୟ ୭୦ ଜଣ ସ୍ଥାନୀୟ ଲୋକଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଥିବା ସେ କହିଛନ୍ତି ।

ଓଡିଶା ଡଟ କମ

Exit mobile version