Site icon Odisha.com

ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ଉଦ୍ୟମକୁ ବିଜେଡ଼ି, କଂଗ୍ରେସର ବିରୋଧ

ଭୁବନେଶ୍ଵର, ଏପ୍ରିଲ ୧୫ (ଓଡିଶା ଡଟ କମ) ନାଲକୋ ସମେତ ତେରଟି ସରକାରୀ ଉଦ୍ୟୋଗରୁ କେନ୍ଦ୍ର ସରକାରୀ ପୁଞ୍ଜି ପ୍ରତ୍ୟାହାର କରୁଥିବା ଉଦ୍ୟମ ଖବର ପ୍ରଚାରିତ ହେବା ପରେ ଓଡିଶାର ଶାସକ ବିଜେଡି ଓ କଂଗ୍ରେସ ଏହାର ତୀବ୍ର ବିରୋଧ କରିଛି ।

ଭୁବନେଶ୍ଵରରେ ମୁଖ୍ୟ କାର୍ଯାଳୟ ଓ ରାଜ୍ୟର ଅନଗୁଳ ଓ କୋରାପୁଟରେ କାରଖାନା ଓ ବକ୍ସାଇଟ ଖଣି ଥିବା ନାଲକୋରେ କେନ୍ଦ୍ର ସରକାରଙ୍କ ୮୭.୧୫ ପ୍ରତିଶତ ଅଂଶଧନ ରହିଛି ।ସରକାରୀ ଅଂଶଧନର ପାଞ୍ଚରୁ ପନ୍ଦର ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜି ପ୍ରତ୍ୟାହାର କରିବାପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଥିବା ସମ୍ପର୍କିତ ଖବର କେତେକ ସଂବାଦପତ୍ର ପ୍ରକାଶ କରିଛନ୍ତି ।

ଏହାକୁ କେନ୍ଦ୍ରକରି ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡ଼ି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ନାଲକୋ ଏକ ଲାଭଦାଯକ କମ୍ପାନୀ ତେଣୁ ଏହାର ପୁଞ୍ଜି ପ୍ରତ୍ୟାହାର ଠିକ ନୁହେଁ । ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କହିଚନ୍ତି ନାଲକୋ ଲାଭ ଦେଉଥିବାରୁ ସରକାରୀ ପୁଞ୍ଜି ପ୍ରତ୍ୟାହାରର କୌଣସି ଆବଶ୍ୟକତା ନାହିଁ ।

ବିରୋଧୀ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି ତାଙ୍କପାର୍ଟି ଏହି ପୁଞ୍ଜି ପ୍ରତ୍ୟାହାରକୁ ପୂର୍ବରୁ ବିରୋଧ କରି ଆସିଛି ଓ ଏହା ଏବେ ମଧ୍ୟ ଜାରି ରହିବ । ତେବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖ୍ୟ କେଭି ସିଂହଦେଓ କହିଛନ୍ତି କେନ୍ଦ୍ରସରକାର ଏଭଳି କୌଣସି ନିଷ୍ପତ୍ତି ନେଇନାହାନ୍ତି । ବିଜେଡି ଓ କଂଗ୍ରେସ ନିଜର ରାଜନୈତିକ ଲାଭ ପାଇଁ ଏଭଳି ମିଥ୍ୟା ପ୍ରଚାର ଚଳାଇଛନ୍ତି।

ଓଡିଶା ଡଟ କମ

Exit mobile version