Site icon Odisha.com

କୃଷି,ପଶୁ ସମ୍ପଦ ବିକାଶ ପାଇଁ ଅର୍ଥ ଦେବାକୁ ବିଶ୍ଵ ବ୍ୟାଙ୍କର ଆଗ୍ରହ

ଭୁବନେଶ୍ଵର, ଏପ୍ରିଲ ୧୭ (ଓଡିଶା ଡଟ କମ ) ରାଜ୍ୟର କୃଷି, ପଶୁ ସମ୍ପଦ ଓ ଏହାର ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ଏକ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଅର୍ଥ ଯୋଗାଇଦେବା ପାଇଁ ବିଶ୍ଵ ବ୍ୟାଙ୍କ ଆଗ୍ରହ ପ୍ରକାଶ କରିଛି ।

ବିଶ୍ଵ ବ୍ୟାଙ୍କର ଏକ ବିଶେଷଜ୍ଞ ଦଳ ଗୁରୁବାର କୃଷି ବିଭାଗର ପ୍ରମୁଖ ସଚିବ ରାଜେଶ ବର୍ମା ଓ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କ ସହ ସଚିବାଳୟରେ ଆଲୋଚନା କରି ଏହି ପ୍ରସ୍ତାବ ଦେଇଛନ୍ତି ।

୧୨୦୦ କୋଟି ଟଙ୍କାର ଏହି ସ୍ଵତନ୍ତ୍ର ପ୍ରକଳ୍ପ ପାଇଁ ବିଶ୍ଵ ବ୍ୟାଙ୍କ ସମୂହର ସଦସ୍ୟ ସଂସ୍ଥା ଇଣ୍ଟରନେସନଲ ଡେଭଲପମେଣ୍ଟ ଏଜେନ୍ସି ୧୦୮୦ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ରହିଥିବା ବେଳେ , ରାଜ୍ୟ ସରକାର ବାକି ଅର୍ଥ ଖର୍ଚ କରିବେ ।

ଏହି ପ୍ରସ୍ତାବ ଉପରେ ତୁରନ୍ତ ପଦକ୍ଷେପ ନେଇଥିବାରୁ ବିଶ୍ଵ ବ୍ୟାଙ୍କର ବିଶେଷଜ୍ଞ ପ୍ରତିନିଧି ମାନେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କୁ ପ୍ରଶଂସା କରିଥିଲେ ।

ରାଜ୍ୟ ସରକାରଙ୍କ ମଞ୍ଜୁରୀ ପାଇଲେ ଏହି ପ୍ରକଳ୍ପ ସମସ୍ତ ତିରିଶ ଯାକ ଜିଲାରେ ଛଅ ବର୍ଷ ଧରି କାର୍ଯ୍ୟକାରୀ ହେବ ଓ ଏହାର ସିଧା ଲାଭ ସାନ ଓ ମଧ୍ୟମ ବର୍ଗର କୃଷକ ମାନଙ୍କୁ ମିଳିବ ।

ଏହା ପୂର୍ବରୁ ବିଶ୍ଵ ବ୍ୟାଙ୍କରପ୍ରତିନିଧି ଦଳ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର ବାଳକ୍ରୀଷ୍ଣାନଙ୍କୁ ସାକ୍ଷାତ କରି ଏ ବିଷୟରେ ସବିଶେଷ ଆଲୋଚନା କରିଥିଲେ। କ୍ରୀଷ୍ଣାନ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ସରକାର ବଦ୍ଧ ପରିକର ଥିବା ସେମାନଙ୍କୁ ସୂଚନା ଦେଇଥିଲେ ।

ଓଡିଶା ଡଟ କମ

Exit mobile version