Site icon Odisha.com

ତନ୍ତ୍ର ସିଦ୍ଧି ପାଇଁ ନାବାଳକକୁ ବଳି, ଦୁଇ ଗିରଫ

କେନ୍ଦ୍ରାପଡା, ଏପ୍ରିଲ ୧୬ (ଓଡିଶା ଡଟ କମ) ତନ୍ତ୍ର ସିଦ୍ଧି ହାସଲ ପାଇଁ ଜଣେ ନାବାଳକକୁ ଦେବୀଙ୍କ ନିକଟରେ ବଳି ଦେଇ ହତ୍ୟାକରିଥିବା ଅଭିଯୋଗରେ ପୁଲିସ କେନ୍ଦ୍ରାପଡା ଜିଲ୍ଲାର ଦୁଇଜଣ ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରିଛି ।

ଗୋଖାପଡା ଗ୍ରାମର ଏହି ଆଠବର୍ଷର ବାଳକ ସୋମବାର ଠାରୁ ନିଖୋଜ ଥିଲା । ପାଖ ଆଖରେ ଖୋଜିବା ପରେ ପୁଅକୁ ନପାଇ ପ୍ରଦୀପ ନାୟକ ପରଦିନ ପୋଲିସକୁ ସୂଚନା ଦେଇଥିଲେ ।

ଗ୍ରାମର କିଛି ଲୋକ ବାଳକର ମୃତଦେହ ନିକଟସ୍ଥ ଲୁଣା ନଦୀ ପଠାରେ ଠାବ କରି ପୁଲିସକୁ ଖବର ଦେଇଥିଲେ । ବେକରେ କ୍ଷତ ଥିବାରୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ବାଳକର ବେକକୁ କଟାଯାଇ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରି ତଦନ୍ତ ବ୍ୟାପକ କରିଥିଲା ।

ଏହି ମାମଲାରେ ପୁଲିସ ଚୌଧୁରୀ ଅବିନାଶ ଦାସ ଓରଫ ମୁନ୍ନା ଓ ବୈକୁଣ୍ଠ ଦାସ ନାମକ ଦୁଇଜଣ ବ୍ୟକ୍ତିକୁ ଗିରଫ କରିଛି। ଦୁହେଁ ତନ୍ତ୍ରସାଧନ ପାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ଵୀକାର କରିଛନ୍ତି ।

ଚୌଧୁରୀ ଅବିନାଶ ଦାସ ଲୁଣା ନଦୀ ନିକଟରେ ଏକ ଆଶ୍ରମ ସ୍ଥାପନ କରି ଗତ ଦଶ ବର୍ଷ ଧରି ତନ୍ତ୍ର ସାଧନ କରୁଥିଲା । ବୈକୁଣ୍ଠ ଏହି ତନ୍ତ୍ର ସାଧନାରେ ତାକୁ ସାହାଯ୍ୟ କରୁଥିଲା ।

ଓଡିଶା ଡଟ କମ

Exit mobile version