Site icon Odisha.com

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରଲୋକ

ଓଡିଶା ଡଟ କମ ସଂବାଦ ଦାତା

ଭୂବନେଶ୍ଵର, ଏପ୍ରିଲ ୨୧ (ଓଡିଶା ଡଟ କମ) ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମଙ୍ଗଳବାର ତିରୁପତି ଠାରେ ୮୯ ବୟସରେ ପରଲୋକ ହୋଇଯାଇଛି । ତାଙ୍କର ବିଯୋଗରେ ରାଜ୍ୟରେ ତଥା ରାଜ୍ୟ ବାହାରେ ଶୋକର ଛାୟା ଖେଳି ଯାଇଛି ।

ତିରୁପତି ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠର ମଙ୍ଗଳବାର ହେବାକୁ ଥିବା ୧୮ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାପାଇଁ ପଟ୍ଟନାୟକ ସୋମବାର ତିରୁପତି ଯାଇ ସେଠାରେ ଅବସ୍ଥାନ କରୁଥିଲେ।

ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଡ।କ୍ଟରଖାନ।ରେ ଭର୍ତ୍ତି କରଯାଇଥିଲା । ସେଠାରେ ମଙ୍ଗଳବାର ପ୍ରାତଃ ତିନିଟା ବେଳେ ସେ ତାଙ୍କ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ, ତାଙ୍କ ଜ୍ଵାଇଁ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓଡିଶା ଡଟ କମ କୁ କହିଛନ୍ତି ।

ତାଙ୍କ ବିୟୋଗରେ ରାଜ୍ୟସରକାର ମଙ୍ଗଳବାର ଛୁଟି ଦିନ ଭାବେ ଘୋଷଣା କରିଛନ୍ତି ଓ ରାଜ୍ୟରେ ସାତଦିନ ଧରି ଶୋକ ପାଳନ କରିବାକୁ ନିଷ୍ପତ୍ତି କରିଛନ୍ତି । ପଟ୍ଟନାୟକଙ୍କ ମରଶରୀର ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ଵର ପହଞ୍ଚିବ । ତାଙ୍କ ଶେଷକୃତ୍ୟ ପୁରୀଠାରେ ବୁଧବାର ଅନୁଷ୍ଠିତ ହେବ ।

୩ ଜାନୁଆରୀ ୧୯୨୭ରେ ପୁରୀ ଜିଲ୍ଲାର ରାମେଶ୍ଵରଠାରେ ଜନ୍ମଗହଣ କରିଥିବା ପଟ୍ଟନାୟକ ପାଞ୍ଚଥର ବିଧାନସଭାକୁ ଓ ଦୁଇଥର ଲୋକସଭାକୁ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବାସହ ଆସାମର ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ଭାବେ କାର୍ଯ୍ୟ କରିଥିଲେ।

ସେ ଜଣେ ସଫଳ ରାଜନୈତିକ ନେତାଭାବେ ନିଜକୁ ପ୍ରତିପାଦିତ କରିବା ସହ ଜଣେ ବାଗ୍ମୀ, ସାମ୍ୱାଦିକ ଓ ସାରସ୍ୱତ ସ୍ରଷ୍ଟା ସାହିତ୍ୟିକ ଭାବେ ଉଚ୍ଛ ପ୍ରଶଂସା ଲାଭ କରିଥିଲେ ।

୧୯୪୭ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଉପାଧି ହାସଲ କରିବା ପରେ ୧୯୪୯ ମସିହାରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ
ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ସେ ହାସଲ କରିଥିଲେ । ଏହାପରେ ସେ ‘ଇଷ୍ଟର୍ଣ୍ଣ ଟାଇମ୍‍ସ’ ଖବରକାଗଜରୁ ସାମ୍ୱାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ୧୯୫୦ରେ ଏହାର ଯୁଗ୍ମ ସମ୍ପାଦକ ଓ ଦୁଇବର୍ଷ ପରେ ଏହାର ସମ୍ପାଦକ ହୋଇଥିଲେ ।

ଏହା ସହ ସେ ଓଡ଼ିଆ ଦୈନିକ ‘ପ୍ରଜାତନ୍ତ୍ର’ର ମଧ୍ୟ ସମ୍ପାଦକ ହୋଇଥିଲେ । ୧୯୬୭ ପର୍ଯ୍ୟନ୍ତ ସେ ଉଭୟ ଖବରକାଗଜର ସମ୍ପାଦକ ରହି ଅ।ସିଥିଲେ
। ୧୯୬୭ ଜୁଲାଇରେ ସେ “ପୌରୁଷ’ ପତ୍ରିକା ପ୍ରତିଷ୍ଠା ଓ ସଂପାଦନା କରିଥିଲେ । ସେ ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ରହିବା ସହ ୧୯୫୦ ମସିହାରେ ସେ ରାଜ୍ୟ ଯୁବକଂଗ୍ରେସ ସଭାପତି ଥିଲେ । ୧୯୫୪ରୁ ୧୯୬୦ ମସିହା ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ରହି ଆସିଥିଲେ ।

୧୯୭୧ ମସିହାରେ ସେ ପ୍ରଥମ ଥର ଲାଗି ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟ୍‍ରେ ୧୯୭୩ରୁ ୧୯୭୫ ପର୍ଯ୍ୟନ୍ତ ସେ ପ୍ରତିରକ୍ଷା ଉପମନ୍ତ୍ରୀ ଓ ପରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ।

୧୯୮୦ ଜାନୁଅ।ରୀ ସାଧାରଣ ନିର୍ବାଚନରେ ପୁଣିଥରେ ଲୋକ ସଭାକୁ ନିର୍ବାଚିତ ହୋଇ ସେ ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ ଓ ଶ୍ରମ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ । ୧୯୮୦ ଜୁନ ମାସରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିଥିଲେ ଓ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ବିଜୟୀ ହୋଇଥିଲେ ।

ଦ୍ୱିତୀୟ ଥର ପାଇଁ ୧୯୮୫ ନିର୍ବାଚନରେ ସେ ଉଭୟ ଖୋର୍ଦ୍ଧା ଓ ଆଠଗଡ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଜାନକୀବଲ୍ଲଭଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାରେ ବ୍ୟାପକ ଔଦ୍ୟୋଗିକ ବିକାଶ ଘଟିଥିଲା । ହଜାରେ ଦିନରେ ହଜାରେ ଶିଳ୍ପ ତାଙ୍କର ସ୍ଲୋଗାନ ଥିଲା ଓ ସେ କ୍ଷୁଦ୍ର ଓ ମଧ୍ୟମଶିଳ୍ପ ପ୍ରତିଷ୍ଠା ଦିଗରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ତାଙ୍କ ସମୟରେ ହୋଟେଲ ବ୍ୟବସାୟକୁ ରାଜ୍ୟରେ ଶିଳ୍ପର ମାନ୍ୟତା ମିଳିଥିଲା । ୧୯୯୫ ମସିହାରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୯ ମସିହାରେ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ କେନ୍ଦ୍ର ସରକାର ଜାନକୀବଲ୍ଲଭଙ୍କୁ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ସେହିବର୍ଷ ଡିସେମ୍ୱର ୧୧ତାରିଖରେ ସେ ଏହି ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଗତ ବର୍ଷ ଅବସର ଗ୍ରହଣ କରିଥିଲେ ।

ଜାନକୀବଲ୍ଲଭଙ୍କ ଅନୁବାଦିତ ପୁସ୍ତକ, ସାହିତ୍ୟ ସର୍ଜନା ଓ କଳାକୃତିର କେତେକ ନିଦର୍ଶନ ହେଲା ସିନ୍ଧୁ ଉପତ୍ୟକା (କାବ୍ୟ), ଗୌତମ ବୁଦ୍ଧ (ଚରିତଗାଥା) , ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ (ଗଳ୍ପ ସଙ୍କଳନ) , ସ୍ଵପ୍ନ ସନ୍ତକ (ପ୍ରବନ୍ଧ ସଙ୍କଳନ), ନିର୍ବାଚିତ ପ୍ରବନ୍ଧ (ପ୍ରବନ୍ଧ ସଙ୍କଳନ), ବିବିଧ ସ୍ତମ୍ଭ (ପ୍ରବନ୍ଧ ସଙ୍କଳନ), ପ୍ରବନ୍ଧ ସଙ୍କଳନ, ମହାଭାରତ, ରାମାୟଣ ଓ ସ୍ଵାଧୀନତା ସଂଗ୍ରାମର ସ୍ମୃତି ।

ତାଙ୍କ ଲିଖିତ ଅନ୍ୟ କେତେକ ପୁସ୍ତକ ହେଲା ବାଚସ୍ପତି ମହୋଦୟ (୨୦୧୨): ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ବିରୋଧୀ ଦଳର ନେତାଭାବେ ଓଡ଼ିଶା ବିଧାନସଭାରେ ଦେଇଥିବା ବକ୍ତବ୍ୟ ଗୁଡ଼ିକର ସଙ୍କଳନ ଅନୁବାଦ (ସମ୍ପାଦନା) ରାଜା ଭର୍ତ୍ତୃହରି ପ୍ରଣୀତ ନୀତି ଶତକ, ଶୃଙ୍ଗାର ଶତକ ଓ ବୈରାଗ୍ୟ ଶତକର ଓଡିଆ କାବ୍ୟାନୁବାଦ ବଙ୍କିମ ଉପନ୍ୟାସ ମାଳା (ଛଅ ଖଣ୍ଡ) ଶ୍ରୀମଦ ଭାଗବତର ଗଦ୍ୟାନୁବାଦ ଓ ଗୋକୁଳାନନ୍ଦ ଗ୍ରନ୍ଥାବଳି ସମ୍ପାଦନା (ସମ୍ପାଦନା)।

ଓଡିଶା ଡଟ କମ

Exit mobile version